ଅବସର ପ୍ରାପ୍ତ ଯବାନଙ୍କ ନିଆରା ପ୍ରୟାସ, ଘାରୁଛି ଦେଶ ସେବା ଚିନ୍ତା

ପାଟଣାଗଡ ବ୍ଲକ ତେଣ୍ଡାପଦର ଗାଁ ର ନନ୍ଦଲାଲ ସାହୁ ସୈନ୍ୟବାହିନୀ ରେ ଜଣେ ସୁବେଦାର ଭାବରେ କାର୍ଯ୍ୟ କରୁଥିଲେ । ଦେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ସୁରକ୍ଷାକର୍ମୀ ଦରକାର ଥିବାବେଳେ ଦେଶର ସୁରକ୍ଷା ପାଇଁ ଯୁବସମାଜ କିପରି ଆଗେଇ ଆସିବେ ସେଥିପାଇଁ ଜଣେ ଅବସରପ୍ରାପ୍ତ ଯବାନ ପ୍ରୟାସ ଜାରି ରଖିଛନ୍ତି ।

ପାଟଣାଗଡ (କେନ୍ୟୁଜ): ମନରେ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ । ନିଜ ସ୍ୱାର୍ଥକୁ ନଦେଖି ଅନ୍ୟମାନଙ୍କ ପାଇଁ ସ୍ୱେଚ୍ଛାକୃତ ସେବା ପ୍ରଦାନ କରୁଛନ୍ତି । ପୂର୍ବରୁ ଦେଶ ସେବାରେ ନିୟୋଜିତ ଥିଲେ । ଆଉ ବର୍ତ୍ତମାନ ଅବସର ନେବା ପରେ ବି ଅନ୍ୟମାନଙ୍କ ପାଇଁ ସ୍ୱେଚ୍ଛାକୃତ ଭାବେ ନିଜକୁ ନିୟୋଜିତ କରିଛନ୍ତି । ଦେଶ ମାତୃକା ପାଇଁ ଜୀବନ ଦେବାପାଇଁ ପ୍ରସ୍ତୁତ ଥିଲେ କିନ୍ତୁ ବୟସ ହୋଇ ଯିବାରୁ ତାଙ୍କୁ ଅବ୍ୟାହତି ଦିଆଗଲା । ଦେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ସୁରକ୍ଷାକର୍ମୀ ଦରକାର ଥିବାବେଳେ ଦେଶର ସୁରକ୍ଷା ପାଇଁ ଯୁବସମାଜ କିପରି ଆଗେଇ ଆସିବେ ସେଥିପାଇଁ ଜଣେ ଅବସରପ୍ରାପ୍ତ ଯବାନ ପ୍ରୟାସ ଜାରି ରଖିଛନ୍ତି । ନିଜ ଗ୍ରାମରେ ପ୍ରଶିକ୍ଷଣ ଶିବିର କରି ଦେଉଛନ୍ତି ନିଃଶୁଳ୍କ ତାଲିମ l

ପାଟଣାଗଡ ବ୍ଲକ ତେଣ୍ଡାପଦର ଗାଁ ର ନନ୍ଦଲାଲ ସାହୁ ସୈନ୍ୟବାହିନୀ ରେ ଜଣେ ସୁବେଦାର ଭାବରେ କାର୍ଯ୍ୟ କରୁଥିଲେ । ବୟସ ହୋଇ ଯିବାରୁ ତାଙ୍କୁ ଚାକିରିରୁ ଅବସର ଦିଆଗଲା । ଗାଁ କୁ ଫେରି ସବୁବେଳେ ଦେଶ ମାତୃକା ପାଇଁ ଚିନ୍ତିତ ଥିବା ଅବସର ପ୍ରାପ୍ତ ଯବାନ ଗାଁ ର ପିଲାମାନଙ୍କ ସହ ଆଲୋଚନା କରି କିପରି ସେମାନେ ଉପଯୁକ୍ତ ପ୍ରଶିକ୍ଷଣ ପାଇ ପାରିବେ ଓ ସୈନ୍ୟ ବାହିନୀରେ ସହଜରେ ଯୋଗ ଦେଇ ପାରିବେ ସେ ବିଷୟରେ ବିଶେଷ ଆଗ୍ରହ ସୃଷ୍ଟି କରିଥିଲେ । ନନ୍ଦଲାଲଙ୍କ କଥାରେ ଅନୁପ୍ରାଣିତ ହୋଇ ପ୍ରଥମେ ତାଙ୍କ ଗାଁ ତେଣ୍ଡାପଦରର କିଛି ଯୁବକ ସ୍କୁଲପଡିଆ ରେ ଆରମ୍ଭ କରିଥିଲେ ପ୍ରଶିକ୍ଷଣ । ଧୀରେଧୀରେ କଥା ପ୍ରଘଟ ହେବା ପରେ ନିକଟସ୍ଥ ଅଞ୍ଚଳର ଅନ୍ୟ କିଛି ଯୁବକ ଓ ଯୁବତୀ ଆସି ନନ୍ଦଲାଲଙ୍କ ପାଖରୁ ନେଉଛନ୍ତି ପ୍ରଶିକ୍ଷଣ ।

ସକାଳ ହେଲା ମାତ୍ରକେ ତେଣ୍ଡାପଦର ସ୍କୁଲ ପଡିଆରେ ସେନା ବାହିନୀରେ ଯୋଗ ଦେବାକୁ ଆଗ୍ରହ ଥିବା ଯୁବକ ଯୁବତୀଙ୍କ ଭିଡ ଦେଖିବାକୁ ମିଳିଥାଏ । ଅବସରପ୍ରାପ୍ତ ସୁବେଦାର ନନ୍ଦଲାଲ ସାହୁ ପ୍ରଶିକ୍ଷଣ ଦେଇଥାନ୍ତି। ଦୁଇବର୍ଷ ତଳେ ଏହି ନିଃଶୁଳ୍କ ପ୍ରଶିକ୍ଷଣ ଆରମ୍ଭ କରିଥିବା ବେଳେ ତାଙ୍କଠାରୁ ପ୍ରଶିକ୍ଷଣ ନେଇ ଦୁଇଜଣ ଅଗ୍ନିବୀରରେ ଓ ଦୁଇଜଣ ସିଆରପିଏଫରେ ଚାକିରି ପାଇବା ପରେ ଅଞ୍ଚଳର ଯୁବକଯୁବତୀ ମାନଙ୍କ ମଧ୍ୟରେ ଅଧିକ ଆଗ୍ରହ ବଢ଼ିଯାଇଛି । ସେନା ବାହିନୀରେ ନହେଲେ ବି ନିଜକୁ ଫିଟ ରଖିବା ପାଇଁ କିଛି ବୟସ୍କ ଲୋକମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି ।

ଅବସର ନେଲା ପରେ ମଧ୍ୟ ଯବାନ ଙ୍କ ମନରେ ରହିଯାଇଛି ଦେଶପ୍ରେମ । ମନରେ ଥିବା ସେହି ଆଗ୍ରହକୁ କମାଇ ନାହାନ୍ତି ସେ । ତେଣୁ ନିକଟସ୍ଥ ଅଞ୍ଚଳର ସମସ୍ତ ଯୁବକ ଓ ଯୁବତୀଙ୍କୁ ସେନାରେ ସାମିଲ କରାଇବା ପାଇଁ ସେ ନିଃଶୁଳ୍କ ପଶିକ୍ଷଣ ଦେଉଛି । ଏଥିପାଇଁ ଅଞ୍ଚଳବାସୀ ନନ୍ଦଲାଲ ସାହୁଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.