ଧାର୍ମିକ ଭାଲୁ: ପ୍ରତିଦିନ ପରିବାର ସହ ଅଲେଖ ଆଶ୍ରମ ଆସି ଖାଉଛନ୍ତି ପ୍ରସାଦ

ନବରଙ୍ଗପୁର(କେନ୍ୟୁଜ୍):  ସ୍ନେହ ମମତାର ଡୋରିରେ ବି ବନ୍ଧା ହିଂସ୍ର ଜନ୍ତୁ । ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ମଣିଷ ପଣିଆ ଭୁଲି ଯାଇଥିବା ବେଳେ ଏବେ  ହିଂସ୍ର ଜନ୍ତୁମାନେ  ସମାଜକୁ  ଶିକ୍ଷା ଦେଉଛନ୍ତି। ଯାହାର ଉଦାହାରଣ  ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା  ପାଇଁ ଭାଲୁ ପଲ ଜଣେ ବାବାଙ୍କ ଆଶ୍ରମକୁ ଯାଇ ବାବାଙ୍କ ହାତରୁ ପ୍ରସାଦ ଖାଇ ପୁଣି  ବିଳମ୍ବିତ ରାତିରେ ପାହାଡ଼ ଅଞ୍ଚଳକୁ ଫେରିଯାଉଛନ୍ତି।

ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ରେଞ୍ଜ ଅନ୍ତର୍ଗତ ବାସିନୀ ଗାଁରେ ରହିଛି ବାବା ଗଙ୍ଗାଧର ଙ୍କ ଆଶ୍ରମ। ଅଲେଖ ମହିମା ଧର୍ମୀ ଏହି ବାବାଙ୍କ ଆଶ୍ରମରେ ପୂଜା ହେଉଥିବା ଭୋଗକୁ ପ୍ରତିଦିନ ସନ୍ଧ୍ୟା ହେଲେ ଖାଇବାକୁ ଆସନ୍ତି ପ୍ରାୟ ୬ଟି ଭାଲୁ। ଏହି ଭାଲୁ ପଲଙ୍କ ପାଇଁ ଶ୍ରଦ୍ଧାଳୁଙ୍କ ଦକ୍ଷିଣା ସହ ନିଜସ୍ଵ ଖର୍ଚ୍ଚରେ ୫୦ କେଜି ଚୁଡ଼ା ୫ କ୍ଵିଣ୍ଟାଲ ଗୁଡ଼ ପ୍ରତିମାସରେ ଏହି ଭାଲୁଙ୍କୁ ଖୁଆଉଛନ୍ତି। ସାଧାରଣତଃ  ଭାଲୁ ଏକ ହିଂସ୍ର ଜନ୍ତୁ ବୋଲି ସମସ୍ତଙ୍କ ମନରେ ଅଛି।କିନ୍ତୁ ଏଠିକାର ଦୃଶ୍ୟ ଦେଖିଲେ ଲାଗିବ ଭାଲୁ ପଲବି ସ୍ନେହ ମମତାର ବନ୍ଧନରେ ବନ୍ଧା ହୋଇଛନ୍ତି।

ସନ୍ଧ୍ୟା ୪ଟା ହେଲେ ବାବାଙ୍କ ଆଶ୍ରମ ନିକଟରେ ଏକ ଜନ ସମୁଦ୍ର ଦେଖିବାକୁ ମିଳୁଛି।ଆଉ ଆଶ୍ଚର୍ଯ୍ୟର କଥା ରାସ୍ତାର ଉଭୟ ପାର୍ଶ୍ବ ରେ ହଜାର ହଜାର ଲୋକ ଥିଲେ ସୁଦ୍ଧା ଭାଲୁପଲ କୌଣସି ଲୋକକୁ କେବେ କିଛି କ୍ଷତି ପହଞ୍ଚାଇ ନାହାନ୍ତି। ଆମେ ବାବାଙ୍କ ମୁହଁରୁ ଏ ସମସ୍ତ ଘଟଣା ଶୁଣିବା ପାଇଁ ବହୁ ଚେଷ୍ଟା କରିଥିଲୁ କିନ୍ତୁ ବାବା ଏହା ଈଶ୍ବରଙ୍କ ଇଚ୍ଛା ରେ ହେଉଛି ମୁଁ ନିମିତ୍ତ ମାତ୍ର କହି ପ୍ରତିକ୍ରିୟା ଦେଇନଥିଲେ।