ଚିଲିକା ଜାତୀୟ ପକ୍ଷୀ ଉତ୍ସବ ଉଦଘାଟିତ, ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ଜନସଚେତନା ପାଇଁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ଜାତୀୟ ଚିିଲିକା ପକ୍ଷୀ ଉତ୍ସବ କ୍ରମବର୍ଦ୍ଧିଷ୍ଣୁ ସଫଳତା ହାସଲ କରୁ। ଚିଲିକା ଜାତୀୟ ପକ୍ଷୀ ଉତ୍ସବ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍‌ସିଂରେ ଉଦ୍‌ଘାଟନ କରି ବିଦେଶାଗତ ପକ୍ଷୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ସମ୍ବନ୍ଧରେ ବ୍ୟାପକ ଜନସଚେତନତାର ପ୍ରସାର ଏହି ଉତ୍ସବ ପାଳନର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ପକ୍ଷୀ ବିଶେଷଜ୍ଞ, ପକ୍ଷୀ ପ୍ରେମୀ, ଫଟୋଗ୍ରାଫର ଓ ପର୍ଯ୍ୟଟକ ଏହି ତିନିଦିନିଆ ଉତ୍ସବରେ ସାମିଲ ହେବା ପାଇଁ ନାମ ପଞ୍ଜିକରଣ ସହ ମଙ୍ଗଳାଯୋଡ଼ି, ନଳବଣ ପ୍ରଭୃତି ପକ୍ଷୀ ଭୂସ୍ୱର୍ଗକୁ ଦେଖିବାର ମଜା ନେବା ସହ ଲକ୍ଷ ଲକ୍ଷ ପକ୍ଷୀ ସମାଗାମକୁ ମନଭରି ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି।

ଲୋକସେବା ଭବନ କନଭେନ୍‌ସନ ହଲରେ ଆୟୋଜିତ ଉତ୍ସବରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଚିଲିକା ଉପରେ ଏକ ଭିଡିଓ ପ୍ରଦର୍ଶନ ହୋଇଥିଲା। ପର୍ଯ୍ୟଟନର ଉତ୍କର୍ଷ ସାଧନ ଉଦ୍ଦେଶ୍ୟରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।.