ବିକୃତ ମାନସିକତା : ଛୋଟ ପିଲାକୁ ଜବରଦସ୍ତ ବିଡ଼ି ପିଆଇ ଭିଡିଓ କଲେ ଭାଇରଲ୍
![Bidi](https://knewsodisha.com/wp-content/uploads/2021/01/Bidi.jpg)
ରତଲାମ୍ : ମଧ୍ୟ ପ୍ରଦେଶର ରତଲାମ୍ ଜିଲ୍ଲାରେ ଏକ ଭିଡିଓ ଜୋରଦାର୍ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଯେ ଜଣେ ଛୋଟ ବାଳକକୁ କିଛି ଗୁଣ୍ଡା ପିଲା ଜୋର୍ ଜବରଦସ୍ତ ବିଡ଼ି ପିଆଉଛନ୍ତି । ଛୋଟ ପିଲାଟି ବିଡ଼ି ନ ପିଇବାକୁ ଯେତେ ମନା କଲେ ବି ସେମାନେ ପିଲାକୁ ଧମକ ଦେଇ ପିଇବାକୁ ବାଧ୍ୟ କରୁଛନ୍ତି । ଏଭଳି ବିକୃତ ମାନସିକତାର ପରିଚୟ ଦେଇଛନ୍ତି କିଛି ଯୁବକ ।
ଅୟାନା ତହସିଲରେ ରହୁଥିବା ପିଲାଟିର ବୟସ ମାତ୍ର ୮ ବର୍ଷ । ହେଲେ ଏହି ବଦମାସ ପିଲାମାନେ ଉକ୍ତ ପିଲାକୁ ଜୋର ଜବରଦସ୍ତ ନିଶା କରାଉଛନ୍ତି । କେବଳ ସେତିକି ନୁହେଁ ନାବଳକଟିକୁ ବିଡ଼ି ପିଆଇବାର ଭିଡ଼ିଓ ମଧ୍ୟ ଭାଇରାଲ୍ କରିଛନ୍ତି ।
ହେଲ୍ପ ଲାଇନ୍ ଏହି ଖବର ପାଇବା ପରେ ଉକ୍ତ ପିଲାଟିର ଘରକୁ ଯାଇ ତାକୁ ବୁଝାସୁଝା କରିଛନ୍ତି । ଏବଂ ଏହି ଘଟଣା ସମ୍ପର୍କରେ ଜିଲ୍ଲା ଏସ୍ପିଙ୍କ ଠାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ନାବାଳକଟି ଅଭିଯୁକ୍ତଙ୍କ ନାମ ପୋଲିସ ନିକଟରେ ପ୍ରକାଶ କରିବା ପରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି । ଅଭିଯୁକ୍ତଙ୍କ ଗିରଫ ପାଇଁ ତନାଘନା ଚାଲିଥିବା ଜଣାଯାଇଛି ।