ଓଡ଼ିଆ ଜାତିକୁ ବଞ୍ଚାଇବା ପାଇଁ ଲକ୍‌ଡାଉନ୍‌ ଜରୁରୀ : ସୁବ୍ରତ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଣି ଥରେ କରୋନାକୁ ନେଇ ଲୋକଙ୍କୁ ସଚେତନ କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବତ ବାଗଚି । ଏବେ ସମୟ ଆସିଛି ଆମକୁ କରୋନା ଭାଇରସ୍‌କୁ ନକ୍‌ଡାଉନ୍‌ ପାଇଁ ଲକ୍‌ଡାଉନ୍‌ । ଆହୁରି ୧୭୨ ଦିନ ଆମକୁ ଏଭଳି ଲଢ଼ିବା ପାଇଁ ପଡ଼ିବ ।

ବିଦେଶରୁ ଫେରିଥିବା ଲୋକଙ୍କ ପାଇଁ ଏହି କଠୋର ପଦକ୍ଷେପ

ସେ ସୂଚନା ଦେଇଛନ୍ତି ଯେ ଓଡ଼ିଶାକୁ ୩ ହଜାର ଲୋକ ବିଦେଶରୁ ଆସିଛନ୍ତି । ତେଣୁ କରୋନା ସଂକ୍ରମଣର ଭୟ ରହିଛି । ସେଥିଲାଗି ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା, ଅନୁଗୁଳ ଏବଂ  ୮ଟି ସହର ପୁରୀ, ଭଦ୍ରକ, ଯାଜପୁର ଟାଉନ୍‌, ଯାଜପୁରରୋଡ଼, ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଝାରସୁଗୁଡ଼ାରେ ଲକ୍‌ଡାଉନ୍‌ ନିର୍ଦ୍ଦେଶ ଦିଆଯାଇଛି ।  ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନ୍‌ ରହିବ ।

ଏସବୁ ଖୋଲା ରହିବ

ସରକାରଙ୍କ ପଦକ୍ଷେପ ଅନୁଯାୟୀ ହସପିଟାଲ, କ୍ଲିନିକ୍‌, ଔଷଧ ଦୋକାନ, ଗ୍ରୋସରୀ, ମାଛ, ମାଂସ, ଅଣ୍ଡା, କ୍ଷୀର ଦୋକାନ, ପୋଲିସ୍‌, ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ୍‌, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଲକ୍‌ଡାଉନ୍‌ରେ ବସ୍‌, ବିମାନ ଏବଂ ଟ୍ରେନ୍‌ ବନ୍ଦ ରହିବ । ତେବେ ଆସନ୍ତାକାଲି ଜନତା କର୍ଫ୍ୟୁରେ ଏସବୁ ମଧ୍ୟ ବନ୍ଦ ରହିବ । ଲକ୍‌ଡାଉନ୍‌୍‌ ହୋଇଥିବା ଜିଲ୍ଲା ଓ ସହରରେ ଅସ୍ଥାୟୀ ଭାବେ ପିଡିଏସ୍‌ ଯୋଗାଣ ବନ୍ଦ ରହିବ ବୋଲି ବାଗଚି କହିଛନ୍ତି ।

ଓଡ଼ିଶାରେ ସ୍ଥିତି

ଆଜି ଦିନ ୧୨ଟା ଯାଏ ମୋଟ୍‌ ୭୦ଟି ନମୂନା ଯାଞ୍ଚ ପାଇଁ ପଠା ଯାଇଛି । ଏଥିରୁ କେବଳ ଦୁଇ ଜଣଙ୍କର ପଜିଟିଭ୍‌ ଆସିଛି । ସେହି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି । ଦ୍ୱିତୀୟ କରୋନା ପଜେଟିଭ୍‌ ବ୍ୟକ୍ତି ୫୬ ଜଣଙ୍କ ସହ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି ।

ଗରିବଙ୍କ ପ୍ରତି ସମ୍ବେଦନଶୀଳ ହୁଅ

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତାହା ହେଉଛି ଛୁଟିରେ ରହିଲେ ବି ଅସ୍ଥାୟୀ କର୍ମଚାରୀଙ୍କୁ ଦରମା ଦେବାକୁ କୁହାଯାଇଛି । ଲକ୍‌ଡାଉନ୍‌ ଦ୍ୱାରା ପ୍ରଭାବିତ ହେଉଥିବା ଦିନ ମଜୁରିଆ, ଘରେ କାମ କରୁଥିବା ଗରିବ ଗୁରୁବାଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ସେମାନଙ୍କ ଅତ୍ୟାବଶ୍ୟକ ସମସ୍ୟା ଦୂର କରିବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି ।

ନିଜ ସୁରକ୍ଷା ନିଜ ହାତରେ

ସେହିପରି ପୋଲିସ୍‌ ସବୁ ଜାଗାରେ ଜଗିବା ସମ୍ଭବ ନୁହେଁ । ତେଣୁ ଲୋକମାନେ ନିଜେ ସଚେତନ ହୋଇ ନିଜ ପରିବାର ଏବଂ ଅନ୍ୟମାନଙ୍କୁ ସଚେତନ କରନ୍ତୁ । ଆପଣ ଘର ବାହାରକୁ ଗଲେ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହୋଇ ପାରନ୍ତି । ତେଣୁ ଲକ୍‌ଡାଉନ୍‌ ଭଳି ଏକ ସୁଚିନ୍ତିତ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି । ଏହି ପଦକ୍ଷେପ ହିଁ ଆମକୁ ସୁରକ୍ଷିତ ରଖି ପାରିବ । ତେବେ ଏଭଳି ପଦକ୍ଷେପ ଯୋଗୁଁ ଆମକୁ ଅସୁବିଧା ହେବ ନିଶ୍ଚୟ । ହେଲେ ଓଡ଼ିଆ ଜାତିକୁ ବଞ୍ଚାଇବା ପାଇଁ ଏହା ଜରୁରୀ ଥିଲା ବୋଲି ବାଗଚି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.