ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ(କେନ୍ଯୁଜ୍) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରାର ଆଦ୍ୟପର୍ବ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦିରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଏ ଉପଲକ୍ଷେ ବୁଧବାର ଦଇତାପତି ସେବକଙ୍କ ଦ୍ବାରା ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସେନାପଟି ଲାଗି ସହ ଅନ୍ୟାନ୍ୟ ନୀତି ଶେଷ ହୋଇଛି। ସ୍ନାନ କାର୍ଯ୍ୟ ପାଇଁ ଶ୍ରୀମନ୍ଦିର ସ୍ନାନମଣ୍ଡପ ୧୪ ପ୍ରକାର ଚାନ୍ଦୁଆ ସହ ଆଲୋକମାଳାରେ ସଜେଇ ହୋଇଛି। ମହାପ୍ରଭୁ ଶ୍ରୀମନ୍ଦିର ପରିସର ସୁନା କୂଅର ୧୦୮ ଗରା ଜଳରେ ସ୍ନାନ କରିବାର ପରମ୍ପରା ରହିଥିବାରୁ ଆଜି ଦୟଣା ମାଳି ସେବକଙ୍କ ଦ୍ବାରା ଏହାର ଶୋଧ କାର୍ଯ୍ୟ ଶେଷ ହୋଇଛି। କରୋନା କଟକଣା ଭିତରେ ସ୍ନାନଯାତ୍ରା ସେବା କାର୍ଯ୍ୟ ସଂପନ୍ନ ପାଇଁ ସେବକଙ୍କୁ ନିର୍ଦେଶ ଦିଆଯାଇଛି।

ସେପଟେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ରାତି ୧ଟାରୁ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ଧାଡ଼ି ପହଣ୍ଡିରେ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନ ବେଦିକୁ ନେଇଥିଲେ। ଭୋର ୪ଟା ଭିତରେ ପହଣ୍ଡି ଶେଷ ପରେ ଅନ୍ୟାନ୍ୟ ନୀତି ଆରମ୍ଭ କରିବାକୁ ନୀତି ନିର୍ଘଣ୍ଟ ହୋଇଛି। ସ୍ନାନ ନୀତି ପରେ ଦିନ ୧୧ଟାରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ମହାପ୍ରଭୁ ହାତୀବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। କିନ୍ତୁ କରୋନା କଟକଣା ପାଇଁ ଚଳିତବର୍ଷ ଭକ୍ତ ଦର୍ଶନ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବିନା ଭକ୍ତରେ ନୀତିକାନ୍ତି ସହ ସିଧାପ୍ରସାରଣ ଜରିଆରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ଗ‌ଜବେଶର ଅପରୂପ ଦୃଶ୍ୟ ଭକ୍ତଙ୍କଠାରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.