Below header

ନୂଆବର୍ଷରେ ଚାଳକଙ୍କୁ ଲାଗିବ ଝଟକା, ରାଜ୍ୟରେ ପୁଣି ଥରେ ଜୋରଦାର ହେବ ଟ୍ରାଫିକ୍ ଚେକିଂ

ନୂଆବର୍ଷରେ ଚାଳକଙ୍କୁ ଲାଗିବ ଝଟକା। ରାଜ୍ୟରେ ପୁଣି ଥରେ ଜୋରଦାର ହେବ ଟ୍ରାଫିକ୍ ଚେକିଂ । ଗାଡି ଧରି ବୁଲୁଥିବା ଲୋକେ ଟିକେ ଧ୍ୟାନ ଦିଅନ୍ତୁ। ନଚେତ ଆପଣ କେତେବେଳେ ଯେ ତଣ୍ଡ ଗଣିବେ ଜାଣିପାରିବେନି। ଟିକେ ବି ଦାୟିତ୍ୱହୀନତା ଆପଣଙ୍କୁ ଭାରି ପଡିପାରେ। ଚଳିତ ମାସ କରାଯାଉଛି ସଚେତନ କିନ୍ତୁ ଆସନ୍ତା ମାସରୁ ହେବ କେବଳ ଆକ୍ସନ ହିଁ ଆକ୍ସନ।

ଗତବର୍ଷ ଟ୍ରାଫିକ ନିୟମରେ ସଂଶୋଧନ ଆଣିଥିଲେ କେନ୍ଦ୍ର ସରକାର । ନୂଆ ନିୟମ ଲାଗୁପରେ ରାଜ୍ୟରେ ବିରୋଧ ଦେଖାଦେଇଥିଲା । ତେଣୁ ଗାଡ଼ି କାଗଜପତ୍ର ଠିକଠାକ୍ କରିବାକୁ ସରକାର ସମୟ ଦେଇଥିଲେ । ପରେ କରୋନା ପାଇଁ ଟ୍ରାଫିକ ନିୟମରେ ସାମାନ୍ୟ କୋହଳ କରିଥିଲେ ସରକାର ।

ବେପରୁଆ ଗାଡ଼ି ଚଳାଉଥିଲେ ସାବଧାନ ହୋଇ ଯାଆନ୍ତୁ । ନୂଆବର୍ଷରୁ ପୁଣି ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ନିୟମ ଉଲ୍ଲଂଘନ କଲେ ଗଣିବେ ଭାରି ଜରିମାନା, କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏହାବ୍ୟତୀତ ଏଣିକି ବାଇକ ପଛରେ ବସିଥିଲେ ବି ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଏବେ ଲୋକଙ୍କୁ ସତର୍କ କରାଯାଉଛି , କିନ୍ତୁ ଜାନୁଆରୀରୁ ନମାନିଲେ ଆକ୍ସନ ନିଆଯିବ । ଦୁଇ ଚକିଆ ଗାଡ଼ି ଚଳାଉଥିବା ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ବାତିଲ ହେବ । ସଡ଼କ ସୁରକ୍ଷା ସମ୍ପର୍କିତ ସୁପ୍ରିମକୋର୍ଟଙ୍କ କମିଟି ତାଗିଦ କରିବା ପରେ ଚେକିଂକୁ ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଲାଇସେନ୍ସ ସସପେଣ୍ଡ ହେବ । ହେଲମେଟ୍ ନପିନ୍ଧିବା, ନିର୍ଦ୍ଧାରିତଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ, ଟ୍ରାଫିକ ସିଗନାଲ୍ ନମାନିବା, ମଦ ପିଇ ଗାଡ଼ି ଚଳାଇଲେ ତିନି ମାସ ସସପେଣ୍ଡ ହେବ ଲାଇସେନ୍ସ । ସେହିପରି ଗାଡ଼ି ଚଳାଇଲା ବେଳେ ମୋବାଇଲ ଫୋନ ବ୍ୟବହାର, ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଜରିମାନା ସହ ୩ ମାସ ଲାଇସେନ୍ସ ସସପେଣ୍ଡ କରାଯିବ । ତେଣୁ ଚଳିତମାସରୁ ହିଁ ସାବଧାନ୍‌ ହୋଇଯାନ୍ତୁ। ନଚେତ ଆପଣ ତ ଗାଡି ଚଳାଉଥିବେ କିନ୍ତୁ ଆପଣଙ୍କର କଟିଯାଇଥିବ ମୋଟାଅଙ୍କର ଚାଲାଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.