ଯେତେ ବୁଝାଇଲେ ମନ ବୁଝୁନି: ଗେଲ ବସରିଆ ଦୁଇ ଝିଅଙ୍କୁ ହରାଇ ଏବେ ଭାଙ୍ଗିପଡିଛି ଦୁଇ ଦୁଇଟି ପରିବାର

ଭଞ୍ଜନଗର(କେନ୍ୟୁଜ): ଝିଅକୁ ବାହୁନି ବାହୁନି କାନ୍ଦୁଛି, ମା’। ତା ଗେଲ ବସରିଆ ଝିଅର ମା ଡାକ ଆଉ ଶୁଭୁନି। ଶୁଭୁନି ତା ରୁଣୁ ଝୁଣୁ ପାଉଁଞ୍ଜି ଶବ୍ଦ। ଅଭାଗିନୀ ମାଟିର ଏହି କାନ୍ଦ ଶବ୍ଦ ଛାତିକୁ ଯେମିତି ଥରାଇ ଦେଉଛି। ଏପଟେ ବୁଢ଼ା ଜେଜେବାପା ବି’ ନିଜ କୋହ ସମ୍ଭାଳି ପାରୁନି। ନିରବି ଯାଇଛି ତା ଗେହ୍ଲି ନାତୁଣିର ଅଳି ଅର୍ଦ୍ଦଳି । ଘର ବାରଣ୍ଡାରେ ବସି, ଜଳକା ପାଲଟି ଯାଇଛି ଜେଜେମା’ । ଖାଲି ସେତିକି ନୁହେଁ , ପଡୋଶୀ ଘରେ ମଧ୍ୟ ସମାନ ଶୋକାକୁଳ ପରିସ୍ଥିତି । ସେମାନେ ମଧ୍ୟ କୁନି ଭାଣିଜୀର ବିୟୋଗରେ ଭାଙ୍ଗିପଡିଛନ୍ତି ।
ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ , ଖମାରପଲ୍ଲୀ ଗାଁ ରେ ଘଟିଥିଲା ଏଭଳି ଏକ ହୃଦୟ ବିଦାରକ ଘଟଣା । ଦୁଃଖ ଦେଇଗଲେ ସାଲିନୀ, ଆଉ ସୋନାଲିକା । ଜଣକୁ ୯ ବର୍ଷ , ଆଉ ଜଣକୁ ୮ ବର୍ଷ । ଉଭୟେ ସାଙ୍ଗ ହୋଇ ଘର ପଛପାଖରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଜଣେ ପୋଖରୀ ରେ ବୁଡି ଯାଉଥିବା ବେଳେ, ଆଉଜଣେ ତାକୁ ଉଧାର କରିବାକୁ ଚେଷ୍ଟା କରିଥିଲା । ଶେଷରେ ଉଭୟେ ପାଣିରେ ବୁଡି , ପ୍ରାଣ ହରାଇଥିଲେ । ଏକା ସାଙ୍ଗରେ ଚାଲିଯାଇଥିଲା ଦୁଇ ଦୁଇଟି ଜୀବନ। ଗ୍ରାମବାସୀ , ଅଗ୍ନିଶମ ବାହିନୀ ଏବଂ ପୋଲିସ ଏବଂ ସ୍ଥାନୀୟ ସରପଞ୍ଚ ପହଞ୍ଚି, ପୋଖରୀରୁ ଦୁଇ ମୃତଦେହ କୁ ଉଧାର କରିବାପରେ , ଭଂଜନଗର ମେଡିକାଲ ରେ ବ୍ଯବଛେଦ କରାଯାଇଥିଲା ।
ଖମାରପଲ୍ଲୀ ଗାଁ ର ବୁଲୁ ନାଇକଙ୍କ , ଗତ ୫ ବର୍ଷ ତଳେ ମୃତ୍ୟୁ ହୋଇଯାଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ , ସ୍ତ୍ରୀ ସୁମିତ୍ରା ମୂଲକାମ କରି ପରିବାର ଚଳାନ୍ତି । ଗଲା କିଛିଦିନ ହେଲା , ଘରେ ବୃଦ୍ଧ ଶାଶୁ – ଶଶୁରଙ୍କ ପାଖରେ ୩ ଝିଅଙ୍କୁ ଛାଡି ଭୁବନେଶ୍ଵରରେ ମୂଲକାମ କରିବାକୁ ଯାଇଥିଲେ ସୁମିତ୍ରା । ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବଡ଼ ଝିଅ ସାଲିନୀ ଏବଂ ପଡୋଶୀ ଘରକୁ କୁଣିଆ ଆସିଥିବା, ତାରାସିଙ୍ଗି ଥାନା ଅନ୍ତର୍ଗତ ଡଙ୍ଗାଭୂମି ଗାଁ ବାସିନ୍ଦା ବୁଲୁ ନାଇକଙ୍କ ୮ ବର୍ଷର ଝିଅ ସୋନାଲିକା, ଉଭୟେ ମିଶି ଘର ପଛ ପାଖରେ ଥିବା ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ପୋଖରୀରେ ଗୋଡ଼ ଖସିଯିବାରୁ , ପାଣିରେ ବୁଡି ଦୁଇଜଣଙ୍କ ଜୀବନ ଚାଲିଗଲା ।
ଉଭୟ ମୃତ ନାବାଳିକାଙ୍କ ପରିବାର , ଦିନ ମଜୁରିଆ ଶ୍ରେଣୀର । ଦିନ ତମାମ ପରିଶ୍ରମ କରି ରୋଜଗାର କଲେ ପରିବାର ଚଳୁଛି । ସେଥିରେ ପୁଣି ଏଭଳି ଦୁଃଖଦ ପରିସ୍ଥିତି । ଦୁଇଟି ପରିବାରର ଦୁଇ ଝିଅଙ୍କ ମୃତ୍ୟୁ , ସେମାନଙ୍କ ପରିବାର ର ଦୁଃଖକୁ ଏବେ ଦ୍ୱିଗୁଣିତ କରିଦେଇଛି । ଏନେଇ ସଂପୃକ୍ତ ପରିବାରଙ୍କୁ , ସରକାରଙ୍କ ନିୟମ ପ୍ରକାରେ ଆର୍ଥିକ ସହାୟତା ଯୋଗାଇଦେବାକୁ ଉଦ୍ୟମ କରାଯିବା ସହ , ପଞ୍ଚାୟତ ପକ୍ଷରୁ ଆବଶ୍ଯକ ସହଯୋଗ ଯୋଗାଇ ଦେବାପାଇଁ କହିଛନ୍ତି, ଖମାରପଲ୍ଲୀ ସରପଞ୍ଚ ।
ମୃତ୍ୟୁ କେତେବେଳେ କେମିତି ଆସେ, ତାହା କେହି କହିପାରିବେନି। ଏଇ ଯେମିତି ଏ ଛୋଟିଆ ଦୁଇ ଶିଶୁ ସହିତ ଘଟିଛି। ଖମାରପଲ୍ଲୀ ଗାଁରେ ଘଟିଥିବା ଏଭଳି ଘଟଣା ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଯେତିକି ଦୁଃଖ ଦେଇଛି, ସେତିକି ଅସହାୟ କରି ପକାଇଛି ଦୁଇ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ।