କଟକ ଛତ୍ରବଜାରରେ ତାଳଦଣ୍ଡା କେନାଲ ଧସିଲା ମାଟିବନ୍ଧ , ୩ଗୁରୁତର

କଟକ (କେନ୍ୟୁଜ୍‌) :  କଟକରେ ଛତ୍ରବଜାରରେ ଅଘଟଣ। ତାଳଦଣ୍ଡା କେନାଲ ମାଟିବନ୍ଧ ଧସି ୩ଗୁରୁତର। ୨ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଭର୍ତ୍ତି କରାଯାଇଛି। ସଂଧ୍ୟାରେ ହଠାତ ଛତ୍ରବଜାର ବ୍ରିଟିଶ ପୋଲ ନିକଟରେ ତାଳଦଣ୍ଡା କେନାଲର ମାଟିବନ୍ଧ ଧସିଥିଲା। କେନାଲର ପୁନରୁଦ୍ଧାର କାମ ଚାଲିଥିବା ବେଳେ ଅଘଟଣ ଘଟିଥିଲା। ଫଳରେ ବ୍ରିଜ୍‌ ଉପରେ ବସିଥିବା ପରିବା ବ୍ୟବସାୟୀ ପୋଲ ତଳକୁ ଗଳି ପଡ଼ିଥିଲେ। କିଛି ଲୋକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ତଳେ ରହିଯାଇଥିଲେ । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ଟିମ୍‌ ପହଞ୍ଚି ଉଦ୍ଧାର କରିଥିଲେ ।

ଘଟଣାସ୍ଥଳରୁ ୩ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଘଟଣାସ୍ଥଳରେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ପୋଲ ଭୁଶୁଡ଼ିଲା ଅନୁଧ୍ୟାନ କରାଯିବ ବୋଲି କଟକ ଜିଲ୍ଲାପାଳ କହିଛନ୍ତି । ଛତ୍ରବଜାରରୁ ମାଲଗୋଦାମକୁ ଏହି ବ୍ରିଜ୍‌ ସଂଯୋଗ କରିଥାଏ ।