ଭୁବନେଶ୍ୱର ଏମ୍‌ସର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ: ୪୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍):ଭୁବନେଶ୍ୱର ଏମ୍‌ସର ୪ର୍ଥ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଯୋଗ ଦେଇ ୨୯୩ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ସହ ୪୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ଏହି ଅବସରରେ ଏମ୍‌ସ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଡାକ୍ତର ଭାବେ ଦେଶ ପାଇଁ ଅନେକ କର୍ତ୍ତବ୍ୟ ରହିବ। ଏହି ଅବସରରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ଏମ୍‌ସ ଆଜି ହଜାରେ ବେଡ ଛୁଇଁବାକୁ ଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମ୍‌ସ ପରିସରରେ ପ୍ରତିବର୍ଷ ୫ହଜାର ଗଛ ଲଗାଇବାକୁ ସେ ଏମ୍‌ସ ଛାତ୍ରଛାତ୍ରୀଙ୍କୁ ଆହ୍ଵାନ ଦେଇଛନ୍ତି।

 

ପ୍ରଥମେ ଏମ୍‌ସରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟରକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ । ପରେ କ୍ରିଟିକାଲ୍‌ କେୟାର୍‌ ହସ୍ପିଟାଲ୍‌ ବିଲ୍‌ଡିଂର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ। ଏନଟିପିସି ସହାୟତାରେ ପ୍ରାୟ ୧୯କୋଟି ୮୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବର୍ଣ୍ଣ ସେଣ୍ଟରରେ ୬ଟି ଆଇସିୟୁ ବ୍ୟବସ୍ଥା ସହିତ ୬ଟି କ୍ୟାବିନ ଓ ୩୬ଟି ଶଯ୍ୟା ରହିଛି। ଏହି ଅତ୍ୟାଧୁନିକ ବର୍ଣ୍ଣ ସେଣ୍ଟର ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟର ପୋଡ଼ାଜଳା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେବ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର, ଭୁବନେଶ୍ୱର ସାଂସଦ ଉପସ୍ଥିତ ରହିଥିଲେ।

 

 

Leave A Reply

Your email address will not be published.