ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ପାଇଁ ଟ୍ରାଫିକ କଟକଣା, ଦିନ ୨ରୁ ସଂଧ୍ୟା ୭ ଯାଏଁ ଗାଡ଼ି ଚଳାଚଳ ମନା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କାଲି ଅପରହ୍ଣ ୪ଟା ୪୫ରେ ଶପଥ ଗ୍ରହଣ ଉତ୍ସବ । ପୋଲିସ ପକ୍ଷରୁ ମୋଦିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି  । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ୍‌ ଶାହ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବହୁ ଭିଭିଆଇପି, ବିଶିଷ୍ଟ ବ୍ୟକ୍ତି, ଶିଳ୍ପପତିଙ୍କ ଯୋଗ ଦେବେ ।

ସୂଚନା ଅନୁଯାୟୀ ୧୨ ତାରିଖ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ଦିନ ଟ୍ରାଫିକ କଟକଣା ରହିବ।  ଦିନ ୨ରୁ ସଂଧ୍ୟା ୭ କିମ୍ବା ଶପଥ ସମାରୋହ ସରିବା ଯାଏଁ କଟକଣା ବଳବତ୍ତ ରହିବ । ଏହି ସମୟରେ ଜୟଦେବ ବିହାରରୁ ନାଲକୋ ଛକ ଏବଂ ସଂଲଗ୍ନ ଗଳି ରାସ୍ତାରେ ଗାଡ଼ି ଚଳାଚଳ ବାରଣ କରାଯାଇଛି  । ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ୨ ଡିଆଇଜିଙ୍କୁ ଦାୟିତ୍ବ ଦିଆଯାଇଛି  ।

ସେହିପରି ଜନତା ମଇଦାନ ସୁରକ୍ଷା ଦାୟିତ୍ବ ତଦାରଖ କରିବେ ଆଇଜି ପ୍ରବୀଣ କୁମାର ।  ଡିଆଇଜି ସାର୍ଥକ ଷଡ଼ଙ୍ଗୀ ଏୟାରପୋର୍ଟ, ଉମାଶଙ୍କର ଦାସ ଟ୍ରାଫିକ ବୁଝିବେ । ୧୩ ଡିସିପି, ୧୮ ଏଡିସିପି ରାଙ୍କ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ ।  ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ ଏସ୍‌ଆଇ/ଏଏସ୍‌ଆଇ ରହିବେ। ଆସନ୍ତାକାଲି ଦିନ ୨ଟାରୁ ୭ଟା ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି ରହିବ । ଏଥିସହିତ ଭୁବନେଶ୍ବରରେ ମୁତୟନ ହେବେ ୬୭ ପ୍ଲାଟୁନ ପୋଲିସ ଫୋର୍ସ  ।  ଏନେଇ ପୋଲିସ କମିଶନର ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଶେଷ କରି ହୋଟେଲ୍‌ ଓ ବସ୍ତିଗୁଡ଼ିକ ଉପରେ ନଜର ରଖାଯାଇଛି। ଏହି ସମୟରେ ହୋଟେଲ୍‌କୁ ଆସୁଥିବା ବ୍ୟକ୍ତିଙ୍କର ତଥ୍ୟ ଯାଞ୍ଚ କରାଯାଉଛି। ହୋଟେଲ୍‌ଗୁଡ଼ିକ ଠିକ୍‌ ଭାବେ ଗ୍ରାହକଙ୍କ ନାମ, ଠିକଣା, ମୋବାଇଲ ନମ୍ବର ପଞ୍ଜୀକରଣ କରୁଛନ୍ତି ନା ନାହିଁ । ସରାଇ ଆପ୍‌ରେ ଅପ୍‌ଲୋଡ୍‌ କରୁଛନ୍ତି ନା ନାହିଁ ତାହା ଅନୁଧ୍ୟାନ କରାଯାଉଛି। ସେହିପରି ବସ୍ତିଗୁଡ଼ିକରେ ମଧ୍ୟ ଘନ ଘନ ଯାଞ୍ଚ କରାଯାଉଛି । ହୋଟେଲ୍‌ ଓ ବସ୍ତି ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଏହାଛଡ଼ା ପ୍ରତି ଥାନାକୁ ସେମାନଙ୍କ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଡିସିପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି ।

 

 

Leave A Reply

Your email address will not be published.