‘ବାପା ମୋ ଜୀବନ…’, ମନ୍ତ୍ରୀ ହେବା ପରେ ଚିରାଗ ପାସଓ୍ଵାନ ସେୟାର କଲେ ଭାବପ୍ରବଣ ପୋଷ୍ଟ

ଚିରାଗ ପାସୱାନ ପ୍ରଥମ ଥର ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ଚିରାଗଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ କରାଯାଇଛି । ଚିରାଗଙ୍କ ବାପା ରାମବିଳାସ ପାସୱାନ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଥିଲେ ।

ମୋଦି କ୍ୟାବିନେଟରେ ମନ୍ତ୍ରୀ ହେବା ପରେ ଚିରାଗ ତାଙ୍କ ବାପା ରାମବିଳାସ ପାସୱାନଙ୍କୁ ମନେ ପକାଇ ଇନ୍‌ଷ୍ଟାଗ୍ରାମରେ ଏକ ପ୍ରେରଣାଦାୟକ ପୋଷ୍ଟ ସେୟାର କରିଛନ୍ତି । ସେ ନିଜର ଓ ନିଜ ବାପାଙ୍କର କିଛି ଭିଡିଓ ଏବଂ ଫଟୋ ଯୋଡ଼ି ଏକ ରିଲ୍‌ ପୋଷ୍ଟ କରିଛନ୍ତି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାମବିଳାସ ପାସୱାନ କ୍ୟାବିନେଟ ମନ୍ତ୍ରୀ ଭାବରେ ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି । ଏହାପରେ ଚିରାଗ ପାସୱାନଙ୍କୁ ମନ୍ତ୍ରୀ ପଦର ଶପଥ ନେଉଥିବାର ଦେଖିବାକୁ ମିଳୁଛି, ଯାହାର ଅର୍ଥ ହେଉଛି, ଚିରାଗ ରାଜନୀତିରେ ଠିକ୍‌ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି । ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ଆନିମଲ ଫିଲ୍ମର ଗୀତ ‘ପାପା ମେରୀ ଜାନ୍‌’ ବାଜୁଛି ।

ଭିଡିଓରେ ଆହୁରି ମଧ୍ୟ କିଛି ଫଟୋ ସେୟାର କରାଯାଇଛି, ଯେଉଁଥିରେ ଚିରାଗ ତାଙ୍କ ବାପାଙ୍କ ସହିତ ଅଛନ୍ତି । ଭିଡିଓର ବ୍ୟାକ୍‌ଗ୍ରାଉଣ୍ଡରେ ରାମବିଳାସ ପାସୱାନଙ୍କ ରେକର୍ଡ ହୋଇଥିବା ସ୍ୱର ଚାଲିଛି । ଏଥିରେ ସେ କହୁଛନ୍ତି, ‘ଆମେ ଖୁସି ଯେ ଏହି ଚିରାଗ କେବଳ ମୋର ଚିରାଗ ନୁହେଁ, ବରଂ ଏହି ସମଗ୍ର ଦେଶ ଏବଂ ବିଶ୍ୱର ଚିରାଗ ହୋଇସାରିଛି । ମୁଁ ଚିରାଗଙ୍କୁ ସବୁକିଛି ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି’।

ଚିରାଗଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓକୁ ଖୁବ୍‌ ପସନ୍ଦ କରାଯାଇଛି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୩ କୋଟି ଲୋକ ଦେଖିସାରିଥିବା ବେଳେ ୧୧ ଲକ୍ଷ ଲୋକ ଲାଇକ୍‌ କରିଛନ୍ତି । ଅନେକ ଲୋକ ଚିରାଗଙ୍କୁ ପ୍ରଶଂସା କରି ଲେଖିଛନ୍ତି ଯେ ‘ପୁଅ ହେବ ତ ଏମିତି’ ।

Leave A Reply

Your email address will not be published.