ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଏହା ବିଷୟରେ ସୂଚନା ଦେଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମପାଯାଇଛି । ଏହା ହେଉଛି ଚଳିତ ବର୍ଷ ଦକ୍ଷିଣ କୋରିଆରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ । ତେବେ ଭୂମିକମ୍ପରେ କୌଣସି ବଡ଼ କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ଉତ୍ତର ଜିଓଲା ପ୍ରଦେଶରେ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ ଜୋ ହେ-ଜିନ୍‌ କହିଛନ୍ତି ଯେ ଅଧିକାରୀମାନଙ୍କୁ ଅଞ୍ଚଳବାସୀଙ୍କଠାରୁ ପାଖାପାଖି ୮୦ଟି କଲ୍‌ ମିଳିଥିଲା । ଲୋକମାନେ କଲ୍‌ କରି ଭୂମିକମ୍ପ ବିଷୟରେ ସୂଚନା ଦେଇଥିଲେ । ଏହି ଭୂମିକମ୍ପ ଯୋଗୁ ବୁଆନରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଛି ।

କହି ରଖୁଛୁ ଯେ ତୀବ୍ରତା ଦୃଷ୍ଟିରୁ ଭୂମିକମ୍ପକୁ ଭିନ୍ନ ଭିନ୍ନ ବର୍ଗରେ ବିଭକ୍ତ କରାଯାଇଛି । ୨.୫ରୁ ୫.୪ ତୀବ୍ରତାର ଭୂମିକମ୍ପ ମାଇନର ବର୍ଗରେ ରହିଛି । ୫.୫ରୁ ୬ ତୀବ୍ରତାର ଭୂମିକମ୍ପକୁ ହାଲୁକା ଭୟଙ୍କର ଭୂକମ୍ପ ବର୍ଗରେ ରଖାଯାଇଛି, ଯେଉଁଥିରେ ମାମୁଲି କ୍ଷୟକ୍ଷତିର ଆଶଙ୍କା ରହିଥାଏ । ଆଉ ଯଦି ୬ରୁ ୭ ତୀବ୍ରତାର ଭୂମିକମ୍ପ ଆସେ, ତା’ ହେଲେ କ୍ଷୟକ୍ଷତିର ଆଶଙ୍କା ବହୁତ ବଢ଼ିଯାଇଥାଏ । ୭ରୁ ୭.୯ ଭୂମିକମ୍ପକୁ ଭୟଙ୍କର ବୋଲି କୁହାଯାଏ । ଏହି ତୀବ୍ରତାର ଭୂମିକମ୍ପ ଆସିଲେ ବଡ଼ ବଡ଼ ବିଲ୍ଡିଂ ଭୁଶୁଡ଼ି ପଡ଼ିଥାଏ । ଏହାର ଉପର ତୀବ୍ରତାର ସମସ୍ତ ଭୂମିକମ୍ପକୁ ଅତି ଭୟଙ୍କର କାଟେଗୋରୀରେ ରଖାଯାଇଛି ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ବସି ଯାଆନ୍ତୁ ।

୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଗାଡ଼ି ଭିତରେ ବସି ରୁହନ୍ତୁ ।

୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।

Leave A Reply

Your email address will not be published.