ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ କାର୍ଯ୍ୟ କରୁଥିବାରୁ ତାତିଲେ ଲୋକେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଗବଗାଂ ପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ପଞ୍ଚାୟତ ଅଫିସ ପରିସରରେ ସରକାରଙ୍କ ପକ୍ଷରୁ ଭତ୍ତା ବଣ୍ଟନ କରାଯାଉଥିଲା । ଭତ୍ତା ବାଣ୍ଟିବା ପାଇଁ ପଞ୍ଚାୟତର ଜିଆରଏସ ଅଞ୍ଜୁଶ୍ରୀ ନାୟକ ଦାୟିତ୍ୱରେ ଥିଲେ । ଭତ୍ତା ବାଣ୍ଟିବା ସମୟରେ ପଞ୍ଚାୟତର ସରପଞ୍ଚ ଶୁଭଶ୍ମିତା ଦେ ଅନୁପସ୍ଥିତ ଥିବାବେଳେ ତାଙ୍କ ଶ୍ବଶୁର ଲଷ୍ମୀଧର ଦେ ପଞ୍ଚାୟତ ଅଫିସରେ ବସି ଭତ୍ତା ଖାତାରେ ଦସ୍ତଖସ୍ତ ମାରୁଥିବାର ଦେଖାଯାଇଥିଲା ।

ତେବେ ଏଭଳି ଘଟଣା ପୂର୍ବରୁ ହୋଇ ଆସୁଥିବାବେଳେ ଶୁଭଶ୍ମିତା ଦେ ଦୀର୍ଘ ଦିନ ଧରି ରାଜ୍ୟ ବାହାରେ ରହୁଛନ୍ତି । ଏ ସମ୍ପର୍କରେ ଗ୍ରାମବାସୀ ପୂର୍ବରୁ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତେବେ ଦୀର୍ଘ ଦିନର ପୁଞ୍ଜିଭୁତ ଅସନ୍ତୋଷ ଏବେ ବାହାରିଛି । ଭତ୍ତା ବଣ୍ଟନ ସମୟରେ ଗ୍ରାମବାସୀମାନେ ପହଞ୍ଚି ସରପଞ୍ଚ କାହାନ୍ତି ବୋଲି ପଚାରି ପ୍ରତିବାଦ କରିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଜିଆରଏସଙ୍କୁ ଦୀର୍ଘ ୨ ଘଣ୍ଟା ଅଟକ ରଖି କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଜିଆରଏସ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ଏହି ଘଟଣାକୁ ସରପଞ୍ଚଙ୍କ ଶ୍ବଶୁର ଅସ୍ବୀକାର କରୁଥିବାବେଳେ ଭତ୍ତା ଖାତାରେ ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ଶ୍ବଶୁର ଲଷ୍ମୀଧର ଦେ ଦସ୍ତଖସ୍ତ କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ବନ୍ଧୁ ଏଠାକାର ସରପଞ୍ଚ କୁଆଡ଼େ ଗଲେ ତାହା ତ କେହି ଜାଣି ନାହାନ୍ତି । କିନ୍ତୁ ତାଙ୍କ ବଦଳରେ ତାଙ୍କ ଶ୍ୱଶୁର କାମ କରୁଥିବା ନେଇ ପ୍ରତିବାଦ କରିଛନ୍ତି ଗ୍ରାମବାସୀ । ତୁରନ୍ତ ସରପଞ୍ଚ ଏବଂ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସାଧାରଣରେ ଦାବି ଜୋର ଧରିଛି ।

 

Leave A Reply

Your email address will not be published.