‘ଭାରତରେ EVM ଏକ ବ୍ଲାକ୍‌ ବକ୍ସ, କାହାକୁ ବି ନାହିଁ ଏହାର ଯାଞ୍ଚ ଅନୁମତି’; ପ୍ରଶ୍ନ ଉଠାଇଲେ ରାହୁଲ ଗାନ୍ଧି

କଂଗ୍ରେସ ନେତା ରାହୁଲ ଗାନ୍ଧି ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ଭାରତର ଏକ ବ୍ଲାକ୍‌ ବକ୍ସ ବୋଲି ସେ କହିଛନ୍ତି । ରାହୁଲ ଗାନ୍ଧି ବିଶ୍ୱର ସବୁଠୁ ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ‘X’ ପୋଷ୍ଟକୁ ରିପୋଷ୍ଟ୍‍ କରିବା ସହ ଏକ ଖବରକାଗଜରେ ଛପିଥିବା ଖବରକୁ ସେୟାର କରି କହିଛନ୍ତି, ‘ଭାରତରେ ଇଭିଏମ୍ ଏକ ବ୍ଲାକ୍‌ ବାକ୍ସ । ଏହାକୁ ଯାଞ୍ଚ କରିବାକୁ କାହାକୁ ଅନୁମତି ନାହିଁ । ଆମର ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ଗମ୍ଭୀର ଚିନ୍ତା ବଢ଼ୁଛି । ଯେତେବେଳେ ଅନୁଷ୍ଠାନଗୁଡ଼ିକରେ ଉତ୍ତରଦାୟିତ୍ୱର ଅଭାବ ରୁହେ, ଗଣତନ୍ତ୍ର ଏକ ଦେଖାଣିଆ ପାଲଟିଯାଏ ଏବଂ ଠକେଇର ସମ୍ଭାବନା ବଢ଼ିଯାଏ’ ।

ଲୋକସଭା ନିର୍ବାଚନ ସମୟରେ ବିରୋଧୀ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ର ପ୍ରସଙ୍ଗ ଦୃଢ଼ ଭାବରେ ଉଠାଇଥିଲେ, ହେଲେ ଯେମିତି ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା, ଏହି ପ୍ରସଙ୍ଗ ଗାଏବ ହୋଇଯାଇଥିଲା । ଯଦିଓ ମଝିରେ ମଝିରେ ନେତାମାନେ ଏହା ଉପରେ ନାନା ପ୍ରଶ୍ନ ଉଠାଉଥିଲେ । ବର୍ତ୍ତମାନ ପୁଣି ଏହି ଇଭିଏମ୍‌ ପ୍ରସଙ୍ଗ ଚର୍ଚ୍ଚାକୁ ଆସିଛି ।

ରାହୁଲ ଗାନ୍ଧି ନିଜ ପୋଷ୍ଟରେ ମୁମ୍ବାଇ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି । ଇଭିଏମ୍‌ ସମ୍ପର୍କିତ ଏହି ମାମଲାରେ ମୁମ୍ବାଇ ପୋଲିସ ଶିବସେନା ସିନ୍ଦେ ଦଳର ସାଂସଦ ରବିନ୍ଦ୍ର ଭାୟକରଙ୍କ ଶଳା ମଙ୍ଗେଶ ପାଣ୍ଡିଲକରଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ନିଷେଧାଦେଶ ସତ୍ତ୍ୱେ ପାଣ୍ଡିଲକର ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏହା ବ୍ୟତୀତ ପାଣ୍ଡିଲକରଙ୍କୁ ମୋବାଇଲ ଫୋନ୍ ଦେଇଥିବା ଅଭିଯୋଗରେ ପୋଲିସ ନିର୍ବାଚନ ଆୟୋଗର ଜଣେ କର୍ମଚାରୀଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଛି ।

ସୂଚନାଥାଉ କି, ପୁନର୍ବାର ଭୋଟ୍‌ ଗଣତି ପରେ ଉତ୍ତର ପଶ୍ଚିମ ଆସନରୁ ରବିନ୍ଦ୍ର ଭାୟକର ମାତ୍ର ୪୮ ଭୋଟରେ ବିଜୟୀ ହୋଇଥିଲେ, ଯାହାକୁ ନେଇ ବହୁତ ବିବାଦ ଦେଖାଦେଇଥିଲା । ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ଆସନରୁ ଶିବସେନା (ଏକନାଥ ସିନ୍ଦେ ଦଳ)ର ପ୍ରାର୍ଥୀ ରବିନ୍ଦ୍ର ଭାୟକର ମାତ୍ର ୪୮ ଭୋଟ୍‌ରେ ଜିତିଥିଲେ । ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏହା ହେଉଛି ସବୁଠାରୁ ଛୋଟ ବ୍ୟବଧାନର ବିଜୟ ।

Leave A Reply

Your email address will not be published.