ସାନଖେମୁଣ୍ଡି ଅଞ୍ଚଳରେ ତିନିଜଣଙ୍କର ଆକସ୍ମିକ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ

ବ୍ରହ୍ମପୁର (କେ ନ୍ୟୁଜ୍‌) : ଏ କରୋନା କାଳରେ ଘଟୁଛି କଣ କିଛି ବୁଝି ହେଉନାହିଁ । କିଏ କେତେବେଳେ କେଉଁ ଅବସ୍ଥାରେ ଆମକୁ ଛାଡ଼ି ଚାଲି ଯାଉଛି କଳ୍ପନା କରିବା ମୁସ୍କିଲ ହୋଇପଡୁଛି । ଏମିତିରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ତିନିଟି ଗାଁରେ ତିନି ଜଣଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଏବେ ଜୋର ଚର୍ଚ୍ଚା । ସେମାନଙ୍କ ଏଭଳି ଅଚାନକ ବିୟୋଗ ଅଞ୍ଚଳବାସୀଙ୍କୁ ସ୍ତବ୍‌ଧ କରି ଦେଇଛି ।

ଦଶ ଦିନ ତଳେ ଶ୍ରୀଚନ୍ଦନପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସ୍ବାସ୍ଥ୍ୟ ଖରାପ ହୋଇ ଯାଇଥିଲା । ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଗଲା । ସେ ଜଣେ ଭଲ ଶିକ୍ଷକ ହିସାବରେ ଏହି ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ ।

ସେହିପରି ରାମଚନ୍ଦ୍ରପୁର ଉତ୍କଳ ଗ୍ରାମ୍ୟବ୍ୟାଙ୍କର ଶାଖା ପରିଚାଳକ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ବ୍ରହ୍ମପୁର ମେଡିକାଲରେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କ ନିଜ ଘର ସାଲେପୁର ହୋଇଥିଲେ ମଧ୍ୟ ଏଠାରେ ରହି ଲୋକଙ୍କ ସହିତ ବହୁତ ଆତ୍ମୀୟତା ରଖିଥିଲେ । ଯେଉଁଥି ପାଇଁ ଗାଁ ଲୋକେ ତାଙ୍କୁ ଝୁରି ହେଉଛନ୍ତି ।

ଆହୁରି ମଧ୍ୟ ଚୁଡୁଙ୍ଗପୁର ଠାରେ ଥିବା ସାନଖେମୁଣ୍ଡି ହାଇସ୍କୁଲର ଇଂରାଜୀ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ସେ ବ୍ରହ୍ମପୁରରେ ରହୁଥିଲେ । ଅଚାନକ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ତିନି ଜଣଙ୍କ ବୟସ ପଚାଶରୁ ପନ୍ଚାବନ ବର୍ଷ ମଧ୍ୟରେ । କରୋନାର ଏହି ଦ୍ୱିତୀୟ ଲହର ସମୟରେ ଏହି ଭଦ୍ରବ୍ୟକ୍ତିମାନଙ୍କ ମୃତ୍ୟୁ ସମସ୍ତଙ୍କୁ ଶୋକରେ ଡୁବାଇ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.