ପୌର ନିର୍ବାଚନ କସରତ: ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ

କେନ୍ୟୁଜ୍(ବ୍ୟୁରୋ):ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ତୟାରି। ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ନଗର ଉନ୍ନୟନ ବିଭାଗ। ୧୦୭ଟି ପୌର ସଂସ୍ଥାରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରିବାକୁ କୁହାଯାଇଛି। ଆଜି ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ୧୨ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ। ୨୮ ତାରିଖରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବ। ସେହିପରି ୩ଟି ମହାନଗର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ୫ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିବାକୁ ରହିଛି ନିର୍ଦ୍ଦେଶ। ୧୬ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ କରିପାରିବେ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ଅଧ୍ୟାଦେଶ ଆଣି ପୌର ଆଇନରେ ସଂଶୋଧନ ହେବା ପରେ ସାନି ନିର୍ଦ୍ଦେଶନାମା ଜାରି କରିଛି ନଗର ଉନ୍ନୟନ ବିଭାଗ। ଡିସେମ୍ବର ୬ରେ ମହାରାଷ୍ଟ୍ର ଓ ଡିସେମ୍ବର ୧୭ରେ ମଧ୍ୟପ୍ରଦେଶରେ ଓବିସିଙ୍କୁ ସଂରକ୍ଷଣ ମାମଲାରେ ଟ୍ରିପଲ ଟେଷ୍ଟ କଥା ଉଠାଇଥିଲେ ସୁପ୍ରିମକୋର୍ଟ। କହିଥିଲେ, ଅନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ହେଲେ ପ୍ରଥମେ କମିଶନ ଗଠନ କରିବାକୁ ପଡିବ। ଦ୍ୱିତୀୟରେ ସେହି କମିଶନ ରାଜ୍ୟର କେଉଁ ଅଂଚଳରେ କେତେ ଓବିସି ଅଛନ୍ତି ତାର ତଥ୍ୟ ସଂଗ୍ରହ କରିବେ। ତାହ ଅନୁଧ୍ୟାନ କରି କେଉଁ ଅଂଚଳରେ କେତେ ଓବିସି ଆସନ ସଂରକ୍ଷଣ ରହିବ ତାହା ନିର୍ଦ୍ଧାରଣ କରିବେ। ତୃତୀୟରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ସୀମା ଉଲ୍ଲଂଘନ କରିବ ନାହିଁ। ରାଜ୍ୟ ପ୍ରଥମ ଟେଷ୍ଟ ପାସ୍ କରିଛି। କିନ୍ତୁ ଓବିସି ସଂଖ୍ୟାର ତଥ୍ୟ ନଥିବାରୁ, ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ ରହି ପାରିବ ନାହିଁ।
ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୭ ତାରିଖରେ ଚୂଡାନ୍ତ ସଂରକ୍ଷଣ ତାଲିକା ରାଜ୍ୟ ନିର୍ବାଚନ କମିଶନଙ୍କୁ ହସ୍ତାନ୍ତର କରିବେ ରାଜ୍ୟ ସରକାର। ଏହା ପୂର୍ବରୁ ପ୍ରାର୍ଥୀ ଚୟନକୁ ନେଇ ଦଳଗୁଡ଼ିକ ମଧ୍ୟରେ ଅଙ୍କକଷା। ଏଥର ନିର୍ବାଚନରେ ୪୦ ପ୍ରତିଶତ ପ୍ରାର୍ଥୀ ଓବିସି ବର୍ଗରୁ ଦେବାକୁ ବିଜେଡି ନିଷ୍ପତି ନେଇଛି। ଏହାସହ ପ୍ରାର୍ଥୀ ଚୟନ ବେଳେ ଯୁବ ନେତୃତ୍ୱକୁ ଅଧିକ ପ୍ରାଥମିକତା ମିଳିବ ବୋଲି ବିଜେଡି କହିଛି। କଂଗ୍ରେସ ଚାଷୀ, ବିପିଏଲ ଓ ଯୁବକଙ୍କୁ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଉଛି। ସେପଟେ ବିଜେପି କହିଛି, ଜିତିବା ସାମର୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରାଯିବ। ୨୦୨୨ ନିର୍ବାଚନର ବର୍ଷ ହେବ। ପ୍ରଥମେ ପଞ୍ଚାୟତ ଓ ପରେ ପୌର ନିର୍ବାଚନ ହେବାର ସମ୍ଭାବନା ରହିଛି।