ଦ୍ୱିତୀୟ ଟେଷ୍ଟରେ ମାତ୍ର ୨୦୨ ରନ୍ରେ ଖସିଗଲା ଟିମ୍ ଇଣ୍ଡିଆର ସବୁ ଓ୍ଵିକେଟ୍

ଜୋହାନ୍ସବର୍ଗ : ଅଧିନାୟକ କେଏଲ୍ ରାହୁଲ ସର୍ବାଧିକ ୫୦, ସ୍ପିନ୍ ବୋଲର ରବିଚନ୍ଦ୍ର ଅଶ୍ୱିନ୍ ୪୬ ରନ୍ । ଇଏ ହେଉଛି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଭାରତୀୟ ଖେଳାଳିଙ୍କ ସର୍ବାଧିକ ସ୍କୋର । ଆଉ ପୂରା ଦଳ ୨୦୨ ରନ୍ରେ ଅଲ୍ଆଉଟ୍ । ପରେ ୮ ଓଭର ସୁଦ୍ଧା ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଗୋଟିଏ ଓ୍ଵିକେଟ୍ ହରାଇ ୨୬ ରନ୍ କରିଛି ।
ପ୍ରଥମ ଟେଷ୍ଟ ଚମତ୍କାର ଭାବେ ଜିତିବା ପରେ ଏଠାରେ ବଡ଼ ଉତ୍ସାହ ନେଇ ଖେଳ ଆରମ୍ଭ କରିଥିଲା ଭାରତୀୟ ଦଳ । ବିରାଟ କୋହଲିଙ୍କ ବିନା ନୂଆ ଅଧିନାୟକ କେଏଲ୍ ରାହୁଲଙ୍କ ନେତୃତ୍ୱରେ ଦଳ ଟସ୍ ଜିତିଥିଲା । ହେଲେ ପ୍ରଥମ ଓ୍ଵିକେଟ୍ ରୂପେ ମୟଙ୍କ ଅଗ୍ରଓ୍ଵାଲ ୨୬ ରନ୍ କରି ଆଉଟ୍ ହୋଇଥିଲେ । ସେତେବେଳେ ଦଳୀୟ ସ୍କୋର ୩୬ ରନ୍ ହୋଇଥିଲା । ତା ପରେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ପଡ଼ି ଚାଲିଲା ।
ଗୋଟିଏ ଦୁଇଟି ଛୋଟିଆ ପାର୍ଟନରସିପ୍ ପାଇ ଭାରତୀୟ ଦଳ ୨୦୦ ରନ୍ରେ ପହଞ୍ଚି ପାରିଥିଲା । ଦଳ ଆହୁରି କମ୍ ରନ୍ରେ ଆଉଟ୍ ହୋଇଥାନ୍ତା ଯଦି ଅଶ୍ୱିନ୍ ଏକ ବିସ୍ଫୋରକ ପାଳି ଖେଳି ନଥାନ୍ତେ। ସେ ୫୦ ବଲ୍ ଖେଳି ୬ଟି ଚୌକା ସହ ୪୬ ରନ୍ କରିଥିଲେ । ଆଉ ସମସ୍ତେ ଫେଲ୍ ହୋଇଥିଲେ ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କେ ଜେନସେନ ସର୍ବାଧିକ ୪ଟି ଓ୍ଵିକେଟ୍ ମାତ୍ର ୩୧ ରନ୍ ଦେଇ ନେଇଥିଲେ । ରାବଡ଼ା ଏବଂ ଓଲିଭରଙ୍କୁ ୩ଟି ଲେଖାଏଁ ଓ୍ଵିକେଟ୍ ମିଳିଛି ।