Below header

VVPAT ବାଧା : ସମ୍ଭବ କି ନିର୍ଦ୍ଦିଷ୍ଟ ସମୟଠାରୁ ଆଗୁଆ ସାଧାରଣ ନିର୍ବାଚନ

ଘମାସନ ଆରମ୍ଭ ହୋଇସାରିଛି । ଆଗୁଆ ନିର୍ବାଚନ ପାଇଁ ସବୁଦଳ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ କେତେ ପ୍ରସ୍ତୁତ, ନିର୍ବାଚନ କମିଶନ ? ସାରାଦେଶରେ ଏକସଂଗେ ଭୋଟ୍‌ ପାଇଁ ଆବଶ୍ୟକ ସଂଖ୍ୟକ VVPAT ଅଛି କି? ଗତବର୍ଷ ଏପ୍ରିଲ ୨୪ରେ ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ ସତ୍ୟପାଠ ଦାଖଲ କରିଥିଲେ । କହିଥିଲେ, ୨୦୧୯ ନିର୍ବାଚନରେ ସବୁ ପୋଲିଂ ଷ୍ଟେସନରେ ଭିଭିପାଟ୍‌ ବ୍ୟବହାର କରାଯିବ । ୧୬ ଲକ୍ଷ ୧୫ ହଜାର VVPAT ନିର୍ମାଣ କରାଯାଉଛି । ନିର୍ମାଣକାରୀ ସଂସ୍ଥା ଏହା ୨୦୧୮ ସେପ୍ଟେମ୍ବର ସୁଦ୍ଧା ଯୋଗାଇଦେବ । କିନ୍ତୁ ଗତ ଜୁନ୍‌ ୧୯ ସୁଦ୍ଧା ମିଳିଛି ମାତ୍ର ୩ ଲକ୍ଷ ୪୮ ହଜାର । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଟାର୍ଗେଟ୍‌ର ୨୨ ପ୍ରତିଶତ VVPAT ମିଳିଛି । ନିର୍ବାଚନ କମିଶନଙ୍କ ସତ୍ୟାପାଠ ମୁତାବକ ସମୟ ସରିବାକୁ ଆଉ ମାତ୍ର ୩ ମାସ ସମୟ ଅଛି । ତେଣୁ ସେପ୍ଟେମ୍ବର ଶେଷ ସୁଦ୍ଧା ସବୁ VVPAT ମିଳିବା ଆଶା କ୍ଷୀଣ । ନିର୍ବାଚନ କମିଶନ କିନ୍ତୁ ସ୍ପଷ୍ଟ କରିଛନ୍ତି, ୨୦୧୯ ନିର୍ବାଚନ ପୂର୍ବରୁ ସମୟ ଭିତରେ VVPAT ମିଳିଯିବ ।

ଚର୍ଚ୍ଚା ଚାଲିଛି ଚଳିତବର୍ଷ ଶେଷ ଆଡ଼କୁ ସାଧାରଣ ନିର୍ବାଚନ ହୋଇପାରେ । ସବୁ ଦଳ ପ୍ରସ୍ତୁତିରେ ଲାଗିଛନ୍ତି । ଓଡ଼ିଶାରେ ମଧ୍ୟ ତାହା ଦେଖିବାକୁ ମିଳୁଛି । ଏଥର ସ୍ୱାଭାବିକ ସମୟଠାରୁ ସରକାର ଆଗୁଆ ସପ୍ଲିମେଣ୍ଟାରୀ ବଜେଟ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ସମସ୍ତ ବିଭାଗକୁ ଖର୍ଚ୍ଚଦାବି ପ୍ରସ୍ତାବ ଦେବାକୁ କୁହାଯାଇଛି ।

ଯାହା ଜଣାପଡୁଛି, VVPAT ଅଭାବ ରହିବ । ଏଭଳି ସ୍ଥିତିରେ ନିର୍ବାଚନ ହେବ କି? ନିର୍ବାଚନ ବେଳେ EVMରେ ତ୍ରୁଟି ନେଇ ବାରମ୍ବାର ଅଭିଯୋଗ ହେଉଛି । ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେଉଛି । ଏହି ସନ୍ଦେହ ଦୂର କରିବାକୁ ବ୍ୟବହାର ହେଉଛି VVPAT । EVM ସହ ସଂଯୋଗ ହୋଇଥାଏ VVPAT । ଜଣେ ଭୋଟ୍‌ ଦେବା ପରେ ସେ କାହାକୁ ଭୋଟ୍‌ ଦେଇଛନ୍ତି ତାହା VVPATର ଏକ ପେପର ସ୍ଲିପ୍‌ରୁ ଜାଣିପାରିବେ । ତେବେ ସେହି ପେପର ସ୍ଲିପ୍‌କୁ କେହି ବାହାରକୁ ନେଇପାରିବେନି । ତାହା ଡ୍ରପ୍‌ ବକ୍ସରେ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.