ଖୋଲିବ ଲାଇଫ୍ ଲାଇନ୍ : କାଲି ଉଦ୍ଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ

ମାଲକାନଗିରି : ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍ ଲାଇନ୍ ଗୁରୁପ୍ରିୟା ସେତୁ । ଏହା କେବଳ ସେତୁ ନୁହେଁ, ଇଂଜିନିୟର ଓ ସୁରକ୍ଷାବଳଙ୍କ ପ୍ରତୀକ । କାମ ଆରମ୍ଭଠୁ ମାଓବାଦୀଙ୍କ ଭୟରେ ବହୁ ଠିକାସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା କୋଲକାତାର ଏକ ସଂସ୍ଥା କାମ ଶେଷ କରିଛି । ୧୭୨ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ୯୧୦ ମିଟର ଲମ୍ବର ସେତୁ । ଏଥିରେ ଲାଗିଛି ସମୁଦାୟ ୨୪୦ ମିଟର ଷ୍ଟିଲ ଗାର୍ଡର୍ । ୧୧ ନମ୍ବର ଖୁଣ୍ଟିରୁ ୧୭ ନମ୍ବର ଖୁଣ୍ଟି ମଧ୍ୟରେ ଷ୍ଟିଲ ଗାର୍ଡର୍ ଲାଗିଛି । ସେତୁ ଉପରେ ୧୨୦ ଟନ୍ ଲୋଡିଂ ଦେଇ ଗାର୍ଡର ଟେଷ୍ଟ କରାଯାଇଛି । ଏଥିରେ ବ୍ୟବହାର କରାଯାଇଛି ବହୁ ସେନ୍ସିଟିଭ ସେନ୍ସର । ସେତୁ କାର୍ଯ୍ୟକ୍ଷମ ହେଲେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗ ସୁବିଧା ହେବ । ଏଥିସହ ମାଓ ଦମନ ପାଇଁ ସୁରକ୍ଷାବାହିନୀର ଚଳପ୍ରଚଳ ମଧ୍ୟ ସୁଗମ ହୋଇପାରିବ । ୧୫୦ଟି ଗାଁର ଲୋକ ଉପକୃତ ହେବେ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସ ଓ ବିଏସ୍ଏଫ୍ର ବରିଷ୍ଠ ଅଧିକାରମାନେ ପଇଁତରା ମାରୁଛନ୍ତି । ସିସିଟିଭି ଦ୍ୱାରା ସେତୁ ଉପରେ ସଂପୂର୍ଣ୍ଣ ନଜର ରଖାଯାଇଛି । ଗତ ସପ୍ତାହରେ ପୋଲିସ ଡିଜି ଆର.ପି. ଶର୍ମା ସେତୁ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।
ଗତ ୧୮ ତାରିଖରେ ଏହି ସେତୁର ଉଦ୍ଘାଟନ ହେବାର ଥିଲା । କିନ୍ତୁ ପାଗ ଖରାପ ଯୋଗୁ ଏହାକୁ ଜୁଲାଇ ୨୬କୁ ଘୁଞ୍ଚାଇ ଦିଆଯାଇଥିଲା ।