ଏବେ ବି ତନ୍ତ୍ର ସାଧନା ପଛରେ ପଡ଼ିଛି ମଣିଷ, ଖପୁରୀକୁ ଧରି ମଶାଣୀରେ କରୁଛି ପୂଜାପାଠ

କେତେବେଳେ ମଣିଷ ବଳି ଦେଉଛି ତ କେତେବେଳେ ମଶାଣିରେ ଚଣ୍ଡି ପାଠକରୁଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଦେଖିବାକୁ ମିଳିଛି ।

କାମାକ୍ଷାନଗର (କେନ୍ୟୁଜ୍‌)- ତନ୍ତ୍ର ସାଧନା କଥା ଶୁଣିଲେ ଯେକୌଣସି ଲୋକର ଛାତି ଥରି ଉଠେ ଓ ଲୋମ ଟାଙ୍କୁରି ଉଠେ । ଆମେ ଆଜି ଆପଣଙ୍କୁ ସେହି ତନ୍ତ୍ର ସାଧନାକୁ ନେଇ ଏକ ଖବର ବିଷୟରେ ଜଣାଇବୁ ଯାହା ଆପଣଙ୍କ ହୃଦୟକୁ ଥରାଇ ଦେବ । ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କିଛି ଲୋକଙ୍କ ମନରୁ ଏବେ ବି ଅନ୍ଧ ବିଶ୍ବାସ ଦୂର ହୋଇନାହିଁ । ଆଜି ବି ଅନ୍ଧ ବିଶ୍ୱାସ ପାଇଁ ମଣିଷ କିଛି ବି ଉପାୟ ଆପଣାଇ ତନ୍ତ୍ର ସାଧନା ପଛରେ ପଡିଛି । କେତେବେଳେ ମଣିଷ ବଳି ଦେଉଛି ତ କେତେବେଳେ ମଶାଣିରେ ଚଣ୍ଡି ପାଠକରୁଛି । ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁରେ ଦେଖିବାକୁ ମିଳିଛି । ମୃତ ଶରୀରକୁ ଖୋଳି ତାର ଖପୁରୀକୁ ଆଣି ସିନ୍ଦୁର,ଧୂପ,ଅରୁଆ ଚାଉଳ ଦେଇ ପୂଜାର୍ଚନା କରିଛନ୍ତି । ଏଭଳି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଅନ୍ଧ ବିଶ୍ୱାସକୁ ନେଇ ମଣିଷ କିଛି ବି କରିପାରେ ।

କାମାକ୍ଷାନଗର ଥାନା ଆଳତୁମା ଗାଁର ବୃଦ୍ଧା ମହିଳା ଦ୍ରୌପଦୀ ନାଥ ଗତ ଜୁନ ମାସରେ ସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିଲେ । ପରିବାର ଲୋକେ ତାଙ୍କୁ ରୀତିନିତି ପରମ୍ପରା ଅନୁଯାୟୀ ରାମିଆଳ ନଦୀ କୂଳରେ ଥିବା ତାଙ୍କ ନିଜସ୍ୱ ଜମିରେ ବୃଦ୍ଧା ମହିଳାଙ୍କୁ ଗାତଖୋଳି ପୋତି ଦେଇଥିଲେ । କିନ୍ତୁ ଯେଉଁ ସ୍ଥାନରେ ମହିଳାଙ୍କୁ ପୋତା ଯାଇଥିଲା ସେଠାରେ ଏକ ଗାତ ଖୋଳି ବୃଦ୍ଧାଙ୍କ ମୁଣ୍ଡକୁ ବାହାର କରାଯାଇ ଧୂପକାଠି,ସିନ୍ଦୁର,ନୂଆ ଗାମୁଛା ଓ ଅରୁଆ ଚାଉଳ ଦେଇ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଲିଛି । କିଏ କାହିଁକି ଏବଂ କେଉଁ ଉଦ୍ଦେଶ୍ୟ ନେଇ ୬ ମାସ ତଳେ ପୋତା ଯାଇଥିବା ମୃତ ବୃଦ୍ଧାଙ୍କ ମୁଣ୍ଡ ବାହାର କରି ପୂଜାର୍ଚ୍ଚନା କରିଛି ତାହା ଜଣା ପଡିନାହିଁ । କିନ୍ତୁ କେହି ତନ୍ତ୍ର ସାଧନା ପାଇଁ ଏପରି କରିଥିବା ଅନୁମାନ କରାଯାଉଛି । ପରିବାଲୋକେ ଓ ଗ୍ରାମବାସୀ ଏଥିରେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ପରିବାର ଲୋକଙ୍କ କହିବା ଅନୁସାରେ ମୃତ ଦ୍ରୌପଦୀ ନାଥ ଗ୍ରାମରେ ଥିବା ମଙ୍ଗଳା ମନ୍ଦିରରେ ପୂଜା କରିବା ସହ ବିଭିନ୍ନ ବାରରେ ପଡୁଥିବା ପୂଜାର୍ଚ୍ଚନା ମଧ୍ୟ କରିଥାନ୍ତି । ତେଣୁ କେହି ତନ୍ତ୍ର ସାଧନା ପାଇଁ ମୃତ ମହିଳାଙ୍କ ଖପୁରୀକୁ ପୂଜା କରୁଥିବା ପ୍ରକାଶ ପାଇଛି । କୌଣସି ବ୍ୟକ୍ତି ଗୁଣି,ଗାରେଡ଼ିର ଶିକ୍ଷାଲାଭ ପାଇଁ ମଶାଣୀରେ ଚଣ୍ଡିପାଠ କରି ଏଭଳି ପୂଜାର୍ଚ୍ଚନା କରିଥିବା ସନ୍ଦେହ ହେଉଛି । କିନ୍ତୁ କିଏ ଏଭଳି କାମ କରିଛି ତାହା ଜଣାପଡିନାହିଁ ।

ଏଭଳି କାର୍ଯ୍ୟ ଦଣ୍ଡନୀୟ ଅପରାଧ କିନ୍ତୁ ମଣିଷକୁ ନା ଅଛି ପୋଲିସର ଭୟ ନା ଅଛି ଜେଲର ଭୟ । ଆଉ ଏଭଳି କୁତ୍ସିତ ପ୍ରଥା ପଛରେ ଏବେ ବି ମଣିଷ ପଡିଛି, ଯାହା ନିଶ୍ଚିତ ଭାବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିିଛି । ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦେବା ଆମର ଉଦ୍ଦେଶ୍ୟ ନୁହେଁ । ସମାଜରେ ଘଟୁଥିବା ଏଭଳି ଘଟଣାକୁ ଅବଗତ କରାଇବା ପାଇଁ ଆମେ ଏହି ଖବର ବିଷୟରେ ଜଣାଉଛୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.