ଝିଅ ଚାଲି ଗଲା ସ୍ୱର୍ଗଦ୍ୱାର! ନିର୍ଯାତନା ନିଆଁରେ ଆଉ ଜଣେ ବିବାହିତା

ସତ୍ୟବାଦୀ ଗାଁର ବାସିନ୍ଦା ତଥା ଗ୍ରାମରକ୍ଷୀ ରାମଚନ୍ଦ୍ର ମଲିକ। ପାଖାପାଖି ଦୁଇ ବର୍ଷ ତଳେ ପିପିଲି ନିକଟ ଗୋକନ ଗାଁର ପ୍ରକାଶ ମଲିକ ସହିତ ବିବାହ ଦେଇଥିଲେ ନିଜ ଝିଅ ରଶ୍ମିକୁ । କିନ୍ତୁ ଗତ ୨୧ ତାରିଖ ଦିନ ରାତିରେ ରାମଚନ୍ଦ୍ରଙ୍କ ଝିଅ ରଶ୍ମିର ମୃତ୍ୟୁ ହୋଇ ଯାଇ ଥିବା ଖବର ପାଇଲେ । ଅଚାନକ ଏଭଳି ଖବରରେ ସ୍ତବ୍ଧ ହୋଇଗଲା ପୂରା ପରିବାର ।

ଭୁବନେଶ୍ୱର (କେନ୍ୟୁଜ୍): ସତ୍ୟବାଦୀ ଗାଁର ବାସିନ୍ଦା ତଥା ଗ୍ରାମରକ୍ଷୀ ରାମଚନ୍ଦ୍ର ମଲିକ। ପାଖାପାଖି ଦୁଇ ବର୍ଷ ତଳେ ପିପିଲି ନିକଟ ଗୋକନ ଗାଁର ପ୍ରକାଶ ମଲିକ ସହିତ ବିବାହ ଦେଇଥିଲେ ନିଜ ଝିଅ ରଶ୍ମିକୁ । କିନ୍ତୁ ଗତ ୨୧ ତାରିଖ ଦିନ ରାତିରେ ରାମଚନ୍ଦ୍ରଙ୍କ ଝିଅ ରଶ୍ମିର ମୃତ୍ୟୁ ହୋଇ ଯାଇ ଥିବା ଖବର ପାଇଲେ । ଅଚାନକ ଏଭଳି ଖବରରେ ସ୍ତବ୍ଧ ହୋଇଗଲା ପୂରା ପରିବାର । ତେବେ ମୃତଦେହ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସାରିଥିବାରୁ ସେଠାକୁ ଦୌଡ଼ି ଆସିଥିଲେ ଝିଅ ରଶ୍ମିକୁ ଦେଖିବା ପାଇଁ । ଆଶା ଥିଲା, ଭୁଲ ଖବର ନୁହେଁ ତ ? କିନ୍ତୁ ଝିଅକୁ ପାଇ ନଥିଲେ ବାପା ରାମଚନ୍ଦ୍ର ଏବଂ ପରିବାର ଲୋକେ । ଅନେକ ଖୋଜାଖୋଜି ପରେ ଫାଣ୍ଡି ପୋଲିସ ଠାରୁ ଜାଣିବାକୁ ପାଇଥିଲେ ଶବ ବ୍ୟବଚ୍ଛେଦ ଘରେ ଝିଅ ମରି ଶୋଇଛି ।

kanya

ସୂଚନା ଥାଉକି, ପିପିଲି ଥାନା ଅନ୍ତର୍ଗତ ଗୋକନ ଗାଁର ପ୍ରକାଶ ମଲିକ ନାମକ ଯୁବକ ସହିତ ରଶ୍ମିର ବିବାହ ହୋଇଥିଲା । ପ୍ରକାଶ କୁଆଡେ ବାହାଘର ପର ଠାରୁ ଯୌତୁକ ଜନିତ ଅତ୍ୟାଚାର କରି ଆସୁଥିଲେ ରଶ୍ମି ଉପରେ । ଏଭଳି ଅଭିଯୋଗ କରିଛନ୍ତି ବାପା ରାମଚନ୍ଦ୍ର । ଝିଅର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି । ପିପିଲି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଝିଅ ରଶ୍ମିର ମୃତ ଶରୀରକୁ ଛାଡି ସ୍ୱାମୀ ଶାଶୁ, ଶଶୁର ଫେରାର ଥିବା କୁହାଯାଉଛି । ଘରେ ତାଲା ପଡ଼ିଛି । ରଶ୍ମିର ଗୋଟିଏ ତିନି ମାସର ପିଲା ଅଛି । ତାକୁ ନେଇ ବାପ ଘର ଲୋକେ ଚିନ୍ତାରେ ।

bride

ତେବେ ରଶ୍ମିର ମୃତଦେହ ବ୍ୟବଚ୍ଛେଦ ଗୃହରୁ ବାହାରିଲା ପରେ ପରିବାର ଲୋକ ଘେରି ଯାଇଥିଲେ ଆମ୍ବୁଲାନ୍ସକୁ । ପଡ଼ିଗଲା ଛାତି ଫଟା କାନ୍ଦ ବୋବାଳି । ଭଉଣୀମାନଙ୍କର ବୁକୁ ଫଟା କାନ୍ଦ, ମାଆ ମାଉସୀ ପିଉସୀଙ୍କ କୋହରେ ହସପିଟାଲ ପରିସର ଲୁହରେ ଭିଜି ଯାଉଥିଲା । ଏସଭୁ ଭିତରେ ସେମାନଙ୍କୁ ଛାଡି ଆମ୍ବୁଲାନ୍ସରେ ଝିଅ ବିଦା ହୋଇ ଚାଲିଗଲା ଦୂରକୁ ଦୂରକୁ… ସ୍ୱର୍ଗ ଦ୍ଵାରକୁ । ବାହାଘର ଦିନ ଝିଅ ଶାଶୁ ଘରକୁ ଯିବା ବେଳେ ଆଖିରେ ଲୁହଥିଲା ସମସ୍ତଙ୍କର । ହେଲେ ଏବେ ଝିଅ ଗଲା ଯେ ଆଉ ଫେରିବନି କେବେବି । କଣ ନ୍ୟାୟ ମିଳିବ ରଶ୍ମିକୁ ? ଅପେକ୍ଷା ପୋଲିସ୍‌ର କାର୍ଯ୍ୟାନୁଷ୍ଠାନ ଆଉ କୋର୍ଟଙ୍କ ରାୟକୁ ।