Below header

ଲାଇଟ୍‌ ଜଳିବାକୁ ନେଇ ହେଲା କଳି, ରାଗରେ ଲୁହାରଡରେ ଶାଶୁକୁ ପିଟି ମାରିଦେଲା ବୋହୁ

ସାମାନ୍ୟ କଳିରୁ ଶାଶୁଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲା ବୋହୂ। ଏପରି ହୃଦୟବିଦାରକ ଘଟଣା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି।

କଟକ (କେନ୍ୟୁଜ) : ଶାଶୁ ବୋହୁ ଗୋଟିଏ ବେଡରେ ସାଙ୍ଗ ହୋଇ ଶୋଇଲେ ରାତିରେ । କିନ୍ତୁ ସକାଳୁ ବେଡ୍‌ ଉପରେ ମରିଶୋଇଥିଲା ଶାଶୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା ଶାଶୁର ମୃତଦେହ । ବୋହକୁ ପଚାରିଲାବେଳକୁ ବୋହୁ କହିଲା ମୁଁ ଜାଣିନି ଶାଶୁଙ୍କର କେମିିତି ହେଲା ମୃତ୍ୟୁ । କିନ୍ତୁ ଏହା କେମିତି ସମ୍ଭବ, ରାତିରେ ସାଥିରେ ଶୋଇଥିବା ଶାଶୁ ବୋହୁଙ୍କ ମଧ୍ୟରୁ କେମିତି କେବଳ ଶାଶୁ ମରିଗଲେ ଆଉ ବୋହୁ ଜାଣିପାରିଲାନି । କଥାଟା ଟିକେ ଅଲଗା ଲାଗୁଥିଲା ନିଶ୍ଚୟ । କିନ୍ତୁ ଘଟଣାକୁ ମାତ୍ର ୪ ଦିନ ହୋଇନି ଖୋଲିଗଲା ବୋହୁର ସବୁ ଗୁମର ।

ସେଦିନ ଥିଲା ଡିସେମ୍ବର ୫ ତାରିଖ ପ୍ରଥମାଷ୍ଟମୀ । ସ୍ୱାମୀ ସରୋଜ ଯାଇଥାନ୍ତି ନିଜ ଭଉଣୀ ଘରକୁ ଅଷ୍ଟମୀ ଭାର ନେଇ । ପୁଅ ଯେହେତୁ ଘରେ ନଥିଲା ଶାଶୁ ସୁଚିତ୍ରା ସାହୁ ଓ ବୋହୁ ସରସ୍ୱତୀ ନୂଆ ଘରେ ସେଦିନ ରାତିରେ ଶୋଇଥିଲେ । ପୁରୁଣା ଘରକୁ ଶୋଇବାକୁ ଯାଇଥିଲେ ଶ୍ୱଶୁର ଚତୁର୍ଭୁଜ । କିନ୍ତୁ ସକାଳୁ ଘର ଭିତରେ ରକ୍ତ ଜୁଡୁବୁଡୁ ହୋଇ ବେଡ୍‌ ଉପରେ ପଡିଥିଲେ ଶାଶୁ ସୁଚିତ୍ରା । ରାତିରେ ଲୁହା ରଡରେ ପିଟି ଶାଶୁକୁ ମାରିଦେଇଛି ବୋହୁ ।

କଥାଟି ଛୋଟ ଥିଲା ଆଜ୍ଞା କିନ୍ତୁ ଘଟଣା ଘଟିଗଲା ବହୁତ ବଡ । ଲାଇଟ ଜାଳି ଶୋଇବା କଥାରୁ ସୃଷ୍ଟି ହୋଇଥିବା ଯୁକ୍ତିତର୍କ ନେଇଗଲା ଜୀବନ । ରାତି ଗୋଟାଏ କି ୨ଟା ହେବ ଶାଶୁ ବୋହକୁ କହିଲେ ଲାଇଟ୍‌ ବନ୍ଦ ନକରିବାକୁ । କାରଣ ବୋହୁ ଗର୍ଭବତୀ ଥିଲା । କାଳେ କିଛି ବୋହୁର ଅସୁବିଧା ହେବ ସେଥିପାଇଁ ଶାଶୁ ବୋହୁକୁ ଲାଇଟ୍‌ ଜଳାଇ ରଖିବାକୁ କହିଲେ କିନ୍ତୁ ନଛୋଡବନ୍ଧା ଥିଲା ବୋହୁ । ଏକା ଜିଦ୍‌ ଥିଲା ଲାଇଟ୍‌ ବନ୍ଦ ରହିବ । କାହିଁକିନା ଶୋଇଲା ବେଳେ ଲୁଗା ଖୋଲା କରି ଶୋଇବାକୁ ଚାହୁଁଥିଲେ ବୋହୂ। ତେଣୁ ଲାଇଟ୍‌ ବନ୍ଦ କରିବାକୁ କହିଥିଲେ। ହେଲେ ଏହାକୁ ବିରୋଧ କରିଥିଲେ ଶାଶୁ ସୁଚିତ୍ରା। ରାତିରେ ଲାଇଟ୍‌ ଜଳିବ ବୋଲି କହିଥିଲେ। ଯାହାକୁ ନେଇ ସାମାନ୍ୟ କଳହ ହୋଇଥିଲା। ଏମିତି ଯୁକ୍ତିତର୍କ ଲାଗି ବୋହୁ ମୁଣ୍ଡକୁ ଚଢ଼ିଗଲା ପିତ୍ତ ।

ସେପଟେ ଘରେ ପୁଅ ନଥିବାରୁ ସୁରକ୍ଷା ଦୃଷ୍ଟିରୁ ଶାଶୁ ପାଖରେ ଗୋଟିଏ ଲୁହା ରଡ୍‌ ରଖିଥିଲେ। ସେହି ଲୁହା ରଡରେ ଶାଶୁ ସୁଚିତ୍ରାଙ୍କୁ ବୋହୂ ସରସ୍ୱତୀ ଆକ୍ରମଣ କରିଥିଲେ। ସେଠାରେ ଶାଶୁ ଓ ବୋହୂଙ୍କ ମଧ୍ୟ ଠେଲାପେଲା ହୋଇଥିଲା। ଯେଉଁଥିପାଇଁ ବୋହୂଙ୍କ ହାତରେ ସାମାନ୍ୟ କ୍ଷତ ହୋଇଥିଲା। ଏହା ପରେ ସରସ୍ୱତୀ ଲୁହା ରଡରେ ଶାଶୁ ସୁଚିତ୍ରାଙ୍କ ମୁଣ୍ଡର ପାହାରେ ପକାଇଥିଲେ। ସେହିଠାରେ ଟଳି ପଡ଼ିଥିଲେ ସୁଚିତ୍ରା। ଶାଶୁଙ୍କ ମୃତ୍ୟୁ ପରେ ସରସ୍ୱତୀଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ଲାଗି ପଡ଼ିଲେ। ରାତିରେ ନିଜ ଦେହ ଓ ଶାଢ଼ୀରେ ପଡିଥିବା ରକ୍ତ ଛିଟାକୁ ଧୋଇ ଦେଇଥିଲେ। ରକ୍ତ ଭିଜା ଲୁଗା ଓ ଲୁହା ରଡକୁ ଲୁଚାଇ ଦେଇଥିଲେ। ରାତି ପାହିଲା ପରେ ଶାଶୁଙ୍କ ମୃତ୍ୟୁ ନେଇ ଶ୍ୱଶୁରଙ୍କୁ ଖବର ଦେଇଥିଲେ ବୋହୂ ସରସ୍ୱତୀ।

ସୁଚିତ୍ରାଙ୍କ ରକ୍ତାକ୍ତ ମୃତଦେହ ଦେଖି ସୁଚିତ୍ରାଙ୍କ ଭାଇ ବାରଙ୍ଗ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ କରି ହତ୍ୟାକାରୀ ବୋହୂ ସରସ୍ବତୀ ସାହୁକୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ସେହି ଲୁହାରଡକୁ ବି ଜବତ କରିଛି ପୋଲିସ । ବାରଙ୍ଗ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଗତ ୫ ତାରିଖ ରାତିରେ ଘଟିଥିବା ହତ୍ୟାକାଣ୍ଡର ଖୁଲାସା କଲା କମିଶନରେଟ ପୋଲିସ।

ପୋଲିସ ବୟାନରୁ ଯାହା ଜଣାପଡିଛି ବୋହୁ ଗର୍ଭବତୀ ଥିଲା, ସେ ବି ମାଆ ହେବାକୁ ଯାଉଥିଲା । କିନ୍ତୁ ଗୋଟେ ମାଆକୁ ମାରିଦେବାକୁ ଏ ବୋହୁର ହାତ ଗଲା କେମିତି । ଯେତେ ବି କଳି ଝଗଡା ଯୁକ୍ତିତର୍କ ହେଉ ତାର ପରିରାମ କଣ ଏଭଳି । ଶାଶୁ ତ ବୋହୁର ଭଲମନ୍ଦ କାଳେ କିଛି ହେଇଯିବ ସେଥିପାଇଁ ରାତିରେ ଲାଇଟ୍‌ ଜଳାଇବାକୁ କହିଥିଲେ କିନ୍ତୁ ଏ ରାଗୀ ବୋହୁର ରାଗ ପଞ୍ଚମକୁ ସମ୍ଭାଳେ ବା କିଏ । ରାଗ ଆସୁଛି ରାଗକୁ ନିୟନ୍ତ୍ରଣ କରିବା ଶିଖନ୍ତୁ,ସାମାନ୍ୟ କଥାରୁ ଏତେ ବଡ ଯେଉଁ ହତ୍ୟାକାଣ୍ଡଟି ଘଟିଗଲା ଏବେ ଗର୍ଭବତୀ ଅବସ୍ତାରେ ଜେଲରେ ଚକି ପେଶିବ ହତ୍ୟାକାରୀ ବୋହୁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.