ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ କଲେ ୫ଟି ଅନଲାଇନ ସେବା ଲୋକାର୍ପିତ
କେନ୍ୟୁଜ୍(ବ୍ୟୁରୋ): ମହିଳା ଓ ଶିଶୁମାନଙ୍କୁ ତ୍ୱରିତ ଓ ଗୁଣାତ୍ମକ ସେବା ଯୋଗାଇ ଦେବା ପାଇଁ, ୫ଟି ଅନଲାଇନ ସେବା ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଆଜି ମହିଳା ସଶକ୍ତୀକରଣ, ଶିଶୁମାନଙ୍କ ଯତ୍ନ ଏବଂ ପୁଷ୍ଟି କ୍ଷେତ୍ରରେ ଦେଶର ଏକ ଆଦର୍ଶ ରାଜ୍ୟ। ସାରା ଦେଶରେ ଏ ପର୍ୟ୍ୟନ୍ତ କେବଳ ଓଡ଼ିଶାରେ ହିଁ ପୁଷ୍ଟି ବଜେଟ୍ କରାଯାଇଛି। ଆଜି ଯେଉଁ ଅନଲାଇନ ସେବା ଲୋକାର୍ପିତ ହୋଇଛି ସେଗୁଡି ହେଲା ଇ-କଳିକା, ମୋ ଛତୁଆ ଆପ୍, ଇ-ମାନଦେୟ ପୋର୍ଟାଲ, ମମତା ଆପ୍ ଏବଂ ମୋ ଶିଶୁ ପୋର୍ଟାଲ। ଇ-କଳିକା ଆପ୍ ଜରିଆରେ କ୍ରେଚ୍ରେ ରହୁଥିବା ୩ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପାଇଁ ଥିବା ଆନୁସଙ୍ଗିକ ବ୍ୟବସ୍ଥାର ତଦାରଖ କରାଯାଇ ପାରିବ।
ଏଥିରେ ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶକୁ ନଜର ରଖାଯାଇପାରିବ। ମୋ-ଛତୁଆ ଆପ୍ ଜରିଆରେ ସ୍ୱଂୟ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ ଓ ପାରଦର୍ଶିତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସମସ୍ତ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟକମାନଙ୍କୁ ମାନଦେୟ ପ୍ରୋତ୍ସାହନ ପାଇଁ ଇ-ମାନଦେୟ ପୋର୍ଟାଲ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ୱାରା ଉପକୃତ ହେବେ ୧ ଲକ୍ଷ ୩୪ ହଜାର ୭୮୫ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି କର୍ମୀ ଓ ଅଙ୍ଗନବାଡି ସହାୟକ।
ମମତା ଯୋଜନାକୁ ଅଧିକ ଲୋକାଭିମୁଖୀ ଓ ସେବା କୈନ୍ଦ୍ରିକ କରିବା ପାଇଁ ମମତା ମୋବାଇଲ ଆପ୍ ଖୋଲାଯାଇଛି। ଏଥିରେ ଘରେ ବସି ମାଆମାନେ ପଞ୍ଜିକରଣଠାରୁ ଆରମ୍ଭ କରି ବ୍ୟାଙ୍କ ଖାତାରେ ଟଙ୍କା ଦାଖଲ ପର୍ଯ୍ୟନ୍ତ ସବୁ ତଥ୍ୟ ପାଇ ପାରିବେ। ସେହିପରି ମୋ ଶିଶୁ ପୋର୍ଟାଲ, ଶିଶୁ ସୁରକ୍ଷା ସେବାକୁ ତଦାରଖ ଓ ଦ୍ରୁତଗାମୀ ପାଇଁ ଆଉ ଏକ ସରଳ ବ୍ୟବସ୍ଥା। ଏହାସହ ଶିଶୁ ମଙ୍ଗଳ କମିଟି ଓ କିଶୋର ନ୍ୟାୟ ବୋର୍ଡ ମଧ୍ୟ ଅନଲାଇନରେ ତଥ୍ୟକୁ ଅନୁଧ୍ୟାନ କରି ଶିଶୁମାନଙ୍କ ଥଇଥାନ କାର୍ଯ୍ୟକାରୀ କରି ପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିଭାଗରେ 5T ସମ୍ପର୍କିତ ଏକ ପୁସ୍ତିକା ଉନ୍ମୋଚନ କରିଥିଲେ।
ଏହାସହ ୫ଟି ଜାତୀୟ-ଅନ୍ତର୍ଜାତୀୟ ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଘରକୁ ନେବା ଶୁଖିଲା ଖାଦ୍ୟରମାନ ବୃଦ୍ଧି ପାଇଁ ବୈଷୟିକ ସହଯୋଗ ଓ ମିଶନ ଶକ୍ତି ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ପାଇଁ CFTRI ସହ ଚୁକ୍ତି ହୋଇଛି। ଘରକୁ ନେବା ଶୁଖିଲା ଖାଦ୍ୟର ଗୁଣବତ୍ତାର ଉନ୍ନତି ଓ ପୁଷ୍ଟିକର ଅଭ୍ୟାସରେ ଉନ୍ନତି ଆଣିବା ପାଇଁ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହିତ, ମା ଶିଶୁ ଓ କିଶୋରୀମାନଙ୍କ ପୁଷ୍ଟି ହିନତା ଚିହ୍ନଟ କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ICMR ସହତି ଏବଂ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ତୃଣମୂଳସ୍ତରରୁ ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ମାନବସମ୍ବଳର ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ଶିଶୁ ସୁରକ୍ଷା ସମିତି ଓ ୟୁନିସେଫ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି।