ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା: ମୁଖ୍ୟମନ୍ତ୍ରୀ

ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ଲିଙ୍ଗଗତ ସମାନତା ହାସଲ। ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି।

କେନ୍ୟୁଜ୍(ବ୍ୟୁରୋ): ବୋଝ ନୁହେଁ, କନ୍ୟା ପରିବାରର ରତ୍ନ। ମା’ମାନେ କାହାଠାରୁ କମ୍‌ ନୁହଁନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜ୍ୟ ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏକ ସପ୍ତାହ ବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳା ସଶକ୍ତିକରଣ କେବଳ ଏକ ସ୍ଲୋଗାନ ନୁହେଁ, ଏବେ ଏହା ଏକ ବାସ୍ତବତା ବୋଲି ସେ କହିଛନ୍ତି। ସାଧାରଣ ଜୀବନରେ ଯେଉଁ କୋଟି କୋଟି ମା ସଂଗ୍ରାମ ଜାରି ରଖି ଏବଂ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଦିନଟିକୁ ସମର୍ପିତ କରିଛନ୍ତି। ଓଡିଶାର ମା ମାନେ ଆଜି ରୂପାନ୍ତରର ସାରଥୀ ହୋଇଛନ୍ତି।

୭୦ ଲକ୍ଷ ମା ମାନଙ୍କ ବିଶାଳ ସଂଗଠନ ଆଜି SHGରୁ SME ହେବାକୁ ଯାଉଛି। ମା ମାନେ ଉଦ୍ୟୋଗୀ ହେବାକୁ ଯାତ୍ରା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ବିଷୟ ବସ୍ତୁ ରହିଛି ନବ ପରିବର୍ତ୍ତନ ଓ ପ୍ରଯୁକ୍ତି ବିଦ୍ୟା ଦ୍ଵାରା ଲିଙ୍ଗଗତ ସମାନତା ହାସଲ। ପ୍ରଯୁକ୍ତି ବିଦ୍ୟା ଆମକୁ ସମାଜରେ ଲିଙ୍ଗଗତ ବିଭେଦ ଦୂର କରିବା ପାଇଁ ଏକ ଅନନ୍ୟ ସୁଯୋଗ ଦେଇଛି। ଇନୋଭେସନ ଓ ଟେକ୍ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ବିଭିନ୍ନ କ୍ଷେତ୍ରରେ ବିଭେଦ ଦୂର କରାଯାଇ ନାରୀ ମାନଙ୍କ ଅଧିକାରର ସୁରକ୍ଷା କରାଯାଇପାରୁଛି। ମହିଳା ମାନଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ମଧ୍ୟ ରୋକାଯାଇ ପାରୁଛି।

ଏହାଦ୍ଵାରା ସମାଜରେ ଲିଙ୍ଗଗତ ବୈଷମ୍ୟ ଦୂର ହୋଇ ଏକ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜିଠୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଆନ୍ତର୍ଜାତିକ ମହିଳା ଦିବସ ସମାରୋହ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଶୁଭାରମ୍ଭ କରିଥିଲେ। ଏହି ମାସ୍କଟ କିଶୋର କିଶୋରୀମାନଙ୍କୁ ଶିକ୍ଷା, ଅଧିକାର ଓ ଅନ୍ୟାନ୍ୟ କ୍ଷେତ୍ରରେ ସଚେତନ କରିବା ପାଇଁ କାର୍ଯ୍ୟ କରିବ। ଏହାସହିତ ରାଜ୍ୟର ନୂଆ ଶିଶୁ ନୀତି ’ପ୍ରାରମ୍ଭ’ ମଧ୍ୟ ଉନ୍ମୋଚିତ ହୋଇଥିଲା । .