Below header

ଆସନ୍ତାକାଲି କିଟ୍‌ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହେବ ବିଶ୍ୱ କବି ମହାକୁମ୍ଭ, ଭୁବନେଶ୍ୱରରେ ପହଞ୍ଚିଲେଣି ବିଭିନ୍ନ ଦେଶ ବିଦେଶର କବି

ଭୁବନେଶ୍ୱର: ୩୯ତମ ବିଶ୍ୱ କବି ମହାକୁମ୍ଭରେ ଯୋଗ ଦେବାକୁ ବିଶ୍ୱର କୋଣ ଅନୁକୋଣରୁ କବିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ଅର୍ନ୍ତଜାତୀୟ ବିମାନବନ୍ଦରରେ କିଟ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଏଥିରେ ଯୋଗ ଦେବାକୁ ଆସି ସେମାନେ ଖୁସି ବ୍ୟକ୍ତ କରିଛନ୍ତି । ଡ.ଅଚ୍ୟୁତ ସାମନ୍ତଙ୍କ ସହ ସାକ୍ଷାତ ପାଇଁ ସେମାନେ ଆଗ୍ରହର ସହ ଅପେକ୍ଷା କରିଥିବା କହିଛନ୍ତି ।

ଅକ୍ଟୋବର ୨ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ କିଟ୍‌ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ କବି ମହାକୁମ୍ଭ । କିଟ୍‌, କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଶ୍ୱ କବି ମହାକୁମ୍ଭ ଆୟୋଜନ ହେଉଛି । ୩୯ ତମ ବିଶ୍ୱ କବି ମହାକୁମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ । ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅଣ୍ଡିଆନ୍‌ କାଉନ୍‌ସିଲ ଫର କଲଚରାଲ୍‌ ରିଲେସନ ମହାନିର୍ଦ୍ଦେଶକ ଅଖିଳେଶ ମିଶ୍ର । ଅକ୍ଟୋବର ୩ ତାରିଖରେ ବୌଦ୍ଧିକ କବିତା ପାଠୋତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ୪ ତାରିଖ ଦିନ ଅର୍କକ୍ଷେତ୍ର କୋଣାର୍କରେ ଆୟୋଜିତ ହେବ ପର‌୍ୟ୍ୟଟନ କବିତା ପାଠୋତ୍ସବ । ଓଡ଼ିଶାର ପର୍ଯ୍ୟଟନ ବିଭବ ସମ୍ପର୍କରେ ବିଶ୍ୱର କୋଣ ଅନୁକୋଣରୁ ଆସିଥିବା କବିମାନଙ୍କୁ ଅବଗତ କରାଇବା ପାଇଁ ଏଭଳି ଆୟୋଜନ କରାଯାଇଛି ।

ସେହିପରି ଅକ୍ଟୋବର ୫ତାରିଖରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ ଆଧ୍ୟାତ୍ମିକ କବିତା ପାଠୋତ୍ସବ । ଉଦ୍‌ଯାପନୀ ସମାରୋହ ୬ ତାରିଖରେ କିଟ୍‌ ପରିସରରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଦିନ ମଧ୍ୟ ପ୍ରତିଫଳନ କବିତା ପାଠୋତ୍ସବ ହେବ । ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଏ ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଯୋଗଦେବେ । ଏହି ଅବସରରେ ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାଷା ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନସୂଚକ ଡିଲିଟ୍‌ ପ୍ରଦାନ କରାଯିବ । ସେହିପରି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ୫ ଜଣଙ୍କୁ ସମ୍ମାନସୂଚକ ଡିପ୍ଲୋମା ସମ୍ମାନ ପ୍ରଦାନ କରାଯିବ । ଏହି ଅବସରରେ ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ତଥା କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ଗୋଲ୍‌ଡେନ୍‌ ଗ୍ୟାବେଲ୍‌ ପ୍ରଦାନ କରାଯିବ । ଏଥି ସହିତ ପ୍ରଫେସର ଆଚାର୍ଯ୍ୟ ଭାବାନନ୍ଦଙ୍କୁ ସାହିତ୍ୟ ପାଇଁ ଗାନ୍ଧୀ ପୁରସ୍କାର ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.