ପ୍ରେମିକ ଯାଇଥିଲେ ଆର ଗାଁକୁ ପ୍ରେମିକାକୁ ଭେଟିବା ପାଇଁ, ଧରାପଡ଼ି ପିଟା ଖାଇଲେ ଆଉ ଜରିମନା ବି ଦେଲେ

ଉମରକୋଟ୍: ହଜିଗଲା ମାନବିକତା । ଯୁବକଙ୍କୁ ଗୋଡେଇ ଗୋଡେଇ ବାଡ଼ିରେ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତର ବୋରଗାଁ ଠାରେ । ମିଳିଥିବା ସୂଚନା ଅନୁଯାୟୀ, ରାଇଘର ବ୍ଲକ୍ ଉଦୟପୁର ଆଦିବାସୀ ଗାଁର ସୁରେନ୍ଦ୍ର ନାମକ ଜଣେ ଯୁବକଙ୍କର ଯୋଡ଼େଙ୍ଗା ପଂଚାୟତର ବୋରଗାଁରେ ଏକ ଝିଅ ସହ ପ୍ରେମ ସମ୍ପର୍କ ରହିଥିଲା । ସୁରେନ୍ଦ୍ର ସେହି ଝିଅକୁ ଦେଖା କରିବାକୁ ଯିବା ସମୟରେ ଗାଁ ଲୋକେ ତାଙ୍କୁ ଧରି ଗୋଡେଇ ଗୋଡେଇ ନିସ୍ତୁକ ମାଡ଼ ମାରିଥିଲେ । ଏହା ପରେ ସୁରେନ୍ଦ୍ରଙ୍କୁ ଅଟକ ରଖି ଗାଁରେ ପ୍ରଜାକୋର୍ଟ ବସେଇ ଷାଠିଏ ହଜାର ଟଙ୍କା ଜରିମାନା ପକେଇ ଥିଲେ ।

ପରେ ସୁରେନ୍ଦ୍ର ଦଶ ହଜାର ଟଙ୍କା ଦେଇଥିଲେ ମଧ୍ଯ ଗାଁଲୋକେ ରାଜି ହୋଇ ନଥିଲେ । ଯାହାଫଳରେ ତାଙ୍କ ମୋଟର ସାଇକେଲକୁ ବନ୍ଧକ ଭାବରେ ରଖିବାକୁ କୁହାଯାଇଥିଲା । ବାକି ପଚାଶ ହଜାର ଟଙ୍କା ଦେଲେ ଗାଡି ଦିଆଯିବ ବୋଲି କହିଥିଲେ ଗାଁ ଲୋକେ । ପରେ ଏନେଇ ରାଇଘର ଥାନାରେ ଆସି ଲିଖିତ ଅଭିଯୋଗ କରିଛନ୍ତି ସୁରେନ୍ଦ୍ରଙ୍କ ବାପା । ବର୍ତ୍ତମାନ ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆ ଘୁରି ବୁଲୁଛି । ଯାହାପରେ ଏହିଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସ କି ପ୍ରକାର କାର୍ଯ୍ଯନୁଷ୍ଠାନ ଗ୍ରହଣ କରୁଛି ତାକୁ ଦେଖିବାକୁ ବାକି ରହିଲା।

 

Leave A Reply

Your email address will not be published.