Below header

ଦୁଇଟି ପରିବାରରୁ ଚାଲିଗଲେ ମୁରବି, ଏବେ ଅସହାୟ ହୋଇ ପଡି ରହିଛନ୍ତି ଏହି ୭ ଶିଶୁ; ମାଗିଯାଚି ଖାଉଛନ୍ତି ନ ମିଳିଲେ ଉପାସ

କୋଇଲା ନଗରି ତାଳଚେର ସହର । ଦିନରାତି ଖଣି କାମ ଚାଲି କୋଟି କୋଟି ଟଙ୍କା ରୋଜଗାର କରା ଯାଉଛି । ହେଲେ ଏହି ଖଣିର ତଳେ ରହୁଥିବା ୭ଜଣ ଶିଶୁ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି । ଦିନେ ହସ ଖୁସିରେ ବିତୁଥିଲା ଜୀବନ, ବାପ-ମା ଥିଲେ , ଖୁଶିର ମାହୋଲ ଥିଲା ପରିବାରରେ । କିନ୍ତୁ ସବୁ କିଛି ଓଲଟପାଲଟ ହୋଇଗଲା, ବାପା-ମା ଚାଲିଗଲେ ଆର ପାରିକୁ । ଆଉ ଏବେ ସମସ୍ତଙ୍କର ପ୍ରଶ୍ନ କିଏ ନେବ ଏହି ୭ ଶିଶୁଙ୍କ ବୋଝ ? କିଏ ଗଢିବ ଏମାନଙ୍କ ଭବିଷ୍ୟତ ?

ତାଳଚେର ୱାର୍ଡ ନମ୍ବର ୪ ହାଟିଙ୍ଗ ଠାରେ ରହୁଥିଲେ ବିଦେଶୀ ମହାରଣା , ତାଙ୍କ ସ୍ତ୍ରୀ ସରସ୍ଵତୀ ଏବଂ ୪ ପୁଅ ଝିଅ । ସରସ୍ଵତୀ ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ବେଳେ କୌଣସି କାରଣ ଯୋଗୁଁ ସେଠାରେ ମୃତ୍ୟୁ ହୋଇଥିଲା । ତାର କିଛି ମାସ ପରେ ରୋଗରେ ପଡି ଆର ପାରିକୁ ଚାଲିଗଲେ ବିଦେଶୀ। ସେହିପରି ତାଙ୍କ ପଡିଶା ୩ ସନ୍ତାନଙ୍କ ମା ଲକ୍ଷ୍ମୀ ଗାଗରେଇଙ୍କର କୌଣସି କାରଣରୁ ମୃତ୍ୟୁ ପରେ ବାପା ବିହାରୀ ଗାଗରେଇ ପିଲାଙ୍କୁ ଛାଡି କୁଆଡେ ପଳେଇଲେ । ଏହି ଦୁଇଟି ଘଟଣା ପରେ ଏବେ ୭ ଟି ଶିଶୁ ବାପା-ମା ଛେଉଁଣ୍ଡ । ଏହି ୭ ଶିଶୁଙ୍କୁ କିଛି ଦିନ ପଡିଶା ଘରର ଜଣେ ବୃଦ୍ଧା ଚଳାଇଥିଲେ କିନ୍ତୁ ପରେ ନିଜର ବୃଦ୍ଧାବସ୍ଥା ପାଇଁ ଅସହାୟତା ପ୍ରକାଶ କରିବା ଫଳରେ ଏହି ଶିଶୁଙ୍କ ଆଶ୍ରା ସଂପୂର୍ଣ୍ଣ ମଉଳି ଯାଇଛି । ଫଳରେ ଏହି ଶିଶୁମାନେ ବାହରେ ହାତପାତି  ନିଜର ଖାଇବା ଯୋଗାଡ କରୁଛନ୍ତି । କେବେ ମିଳିଲେ ଖାଆନ୍ତି , ନ ମିଳିଲେ ଓପାସ । ଆଉ ଯେଉଁଠି ଜାଗା ଟିକିଏ ପାଆନ୍ତି ସେଇଠି ମୁଣ୍ଡ ଗୁଞ୍ଜି ରାତି କଟେଇ ଦିଅନ୍ତି । ଏଭଳି ନିଃସହାୟ ଶିଶୁ ମାନଙ୍କୁ ପ୍ରଶାସନ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ପ୍ରାୟ ୬ ମାସ ହେଲା ଏହି ୭ ଶିଶୁ ବଡ ଦହଗଞ୍ଜ ହେଉଛନ୍ତି । ନିଃସହାୟ ହୋଇ ଖୁସି କଣ ଭୁଲି ଯାଇଛନ୍ତି । ବିଧିର ବିଧାନ ସବୁ କିଛି ଛଡାଇ ନେଇଛି ସେମାନଙ୍କ ପାଖରୁ । ଏ ଘର ସେ ଘର ବୁଲି ପେଟକୁ ଦାନ ମୁଠାଏ ପାଇବାକୁ ଚେଷ୍ଟା କରୁଥିବା ବେଳେ ଶିଶୁ ସୁରକ୍ଷା ଅଧକାରୀ ସେମାନଙ୍କୁ ଥଇଥାନ କରିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.