ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ଉତ୍ସବ ମୁଖର ହିଞ୍ଜିଳିକାଟୁ, ମୁଖ୍ୟ ଆକର୍ଷଣ ପାଲଟିଛି ବାଣଯାତ୍ରା

ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ଉତ୍ସଵ ମୁଖର ହୋଇଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହର । ପ୍ରତିଦିନ ମାନସିକଧାରୀମାନେ ବିଭିନ୍ନ ବେଶ ରୂପରେ ସୁସର୍ଜିତ ହୋଇ ନଗର ପରିକ୍ରମା କରି ଠାକୁରଙ୍କ ଠାରେ ନିଜକୁ ସମର୍ପଣ କରିଥିବା ବେଳେ ଅନେକ ରଥ ଓ କଳାକୁଞ୍ଜ ସହ ବାଣ ଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମ ହେଉଛି ।

ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ପ୍ରସିଦ୍ଧ ଯାତ୍ରା ପାଇଁ ଉତ୍ସଵ ମୁଖର ହୋଇଛି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହର । ଭକ୍ତିମୟ ପରିବେଶ ସାଙ୍ଗକୁ ଚାଙ୍ଗୁ ବାଦ୍ୟର ଶବ୍ଦ ସାରା ଅଞ୍ଚଳକୁ ପ୍ରକମ୍ପିତ କରୁଛି । ପ୍ରତିଦିନ ମାନସିକଧାରୀମାନେ ବିଭିନ୍ନ ବେଶ ରୂପରେ ସୁସର୍ଜିତ ହୋଇ ନଗର ପରିକ୍ରମା କରି ଠାକୁରଙ୍କ ଠାରେ ନିଜକୁ ସମର୍ପଣ କରିଥିବା ବେଳେ ଅନେକ ରଥ ଓ କଳାକୁଞ୍ଜ ସହ ବାଣ ଯାତ୍ରା ଦେଖିବା ପାଇଁ ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମ ହେଉଛି । ପ୍ରତି ବର୍ଷ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଠାରୁ ତିନି ଧରି ଅନୁଷ୍ଠିତ ହୋଇଥାଏ ହିଞ୍ଜିଳିକାଟୁର ନୃସିଂହ ଯାତ୍ରା ବା କାଟୁ ଯାତ୍ରା ।

ଏହି ଯାତ୍ରା ଲକ୍ଷ୍ମୀ ନୃସିଂହଙ୍କ ପୂଜା ଆରାଧନାରେ ହୋଇଥାଏ । ଯାତ୍ରା କାହିଁ କେଉଁ କାଳରୁ ଆରମ୍ଭ ହୋଇଥିବା ବେଳେ ଏହାର ଅନେକ କିମ୍ବଦନ୍ତୀ ରହିଛି । ରଙ୍ଗୁଣୀ ସାହି ଓ ପାଟଣା ସାହି ଓ ନୂଆଗଡରେ ତିନିଟି ମନ୍ଦିରରେ ପ୍ରତିଦିନ ନିତିକାନ୍ତିରେ ଲକ୍ଷ୍ମୀନୃସିଂହ ପୂଜା ପାଉଥିବା ବେଳେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀରେ ନୃସିଂହଙ୍କ ଜନ୍ମୋତ୍ସବ ଯାତ୍ରା ଆରମ୍ଭ ହୋଇଥାଏ । ଯାତ୍ରାର ପ୍ରଥମ ଦିନରେ ରାଜବାଟି ଓ ପାଟଣା ସାହି ପକ୍ଷରୁ ଯାତ୍ରା ଆରମ୍ଭ ହୋଇଥାଏ ।

ଦ୍ଵିତୀୟ ଦିନ ରଙ୍ଗୁଣୀ ସାହି ଓ ଶେଷ ଦିନରେ କେଉଟ ସାହି ଯାତ୍ରା କମିଟି ପକ୍ଷରୁ ଠାକୁରଙ୍କ ଆଜ୍ଞାମାଳ ପାଇବା ପରେ ବିଗ୍ରହକୁ ସୁସର୍ଜିତ ବିମାନରେ ଘଣ୍ଟଘଣ୍ଟା, ବାଦ୍ୟବାଜଣା ତାଳେ ତାଳେ ବିରାଟ ପଟୁଆରରେ ଠାକୁରଙ୍କୁ ନଗର ପରିକ୍ରମା କରି ଯାତ୍ରା ପାଳନ କରନ୍ତି । ଠାକୁରଙ୍କୁ ଅସ୍ଥାୟୀ ପୂଜା ମଣ୍ଡପରେ ରଖି ପୂଜା କରାଯାଉଥିବା ବେଳେ ନଗର ପରିକ୍ରମା ବେଳେ ପ୍ରତି ସାହିରେ ଘର ସମ୍ମୁଖରେ ଭୋଗ ଅର୍ପଣ କରି ଠାକୁରଙ୍କ ଆଶିଷ କାମନା କରିଥାନ୍ତି ଶ୍ରଦ୍ଧାଳୁମାନେ । ଯିଏ ଯାହା ମାନସିକ କରିଥାଏ ଅନେକଙ୍କ ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ତିନି ଦିନ ଧରି ଚାଲିଥିବା ଯାତ୍ରା ପାଇଁ ସୁସର୍ଜିତ ତୋରଣ ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ମାଳରେ ଝଲସି ଉଠୁଛି ସାହି । ଯାତ୍ରା ସମୟ ଆସିଗଲେ ଘରର ପୁଅ ଏବଂ ଝିଅମାନେ କେତେ ଦୂର ହେଉ ପଛେ କିଏ କେଉଁଠି ଥିଲେ ମଧ୍ୟ ନିଜ ଘରକୁ ଆସି ଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରା ମୁଖ୍ୟ ଆକର୍ଷଣ ମଧ୍ୟରାତ୍ରୀରେ ସମାଗମ ହେଉଥିବା ବାଣଯାତ୍ରା ପ୍ରତି ଯାତ୍ରା କମିଟି ପକ୍ଷରୁ ଅନେକ ମାସ ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ବାଣ ପ୍ରସ୍ତୁତି ପାଇଁ ବରାଦ ହୋଇଥାଏ ।

ଠାକୁରଙ୍କ ନଗର ପରିକ୍ରମା ପରେ ସାପ ବାଣ, ମଲ୍ଲି ତରାସ, ବାଇଚଢେଇ ବସା ବାଣ ଭଳି ବିଭିନ୍ନ କିସମର ବାଣ ଫୁଟାଇ ଯାତ୍ରାକୁ ଧୁମ୍ ଧାମରେ ପାଳନ କରାଯାଏ । ମାନସିକଧାରୀମାନେ ରାଧାକୃଷ୍ଣ, ବାଘ, ପିଲାଖାଇ ଡାହାଣୀ, ଅସୁର ବେଶ୍ ଧାରଣ କରି ସାହି ସାହି ବୁଲି ଠାକୁରଙ୍କ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରି ମାନସିକ ପୂରଣ କରନ୍ତି । ଯାତ୍ରାର ଅନ୍ୟ ଏକ ଆକର୍ଷଣ ଦିଗ ପ୍ରତି ସାହିର ମୁଖ୍ୟ ଛକରେ ହୋଇଥିବା ହରିଶ୍ଚନ୍ଦ୍ର, ରାମ, ମେଘନାଦ, ଅର୍ଜ୍ଜୁନ, ଗରୁଡ଼ ରଥ ଓ କଳାକୁଞ୍ଜ । ଏସବୁ ସବୁ ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯାତ୍ରାର ସୁରକ୍ଷା ଦୃଷ୍ଟିରୁ ପୋଲିସ୍, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ମଧ୍ୟ ସଜାଗ ରହିଛନ୍ତି ।

Leave A Reply

Your email address will not be published.