ସାଧାରଣତଃ କିଛିଲୋକ ଭାବିଥାନ୍ତି କି ଯଦି ସେମାନଙ୍କ ପାଖରେ ଟଙ୍କା ଛପାଇବାର ମେସିନ ଥାନ୍ତା ତାହେଲେ ସେ ଦୁନିଆର ସବୁକିଛି କିଣି ପାରନ୍ତେ। ଏପରି କିଛି ଘଟଣା ଦେଖିବାକୁ ମିଳିଛି ଜର୍ମାନରେ। ଏଠାରେ ଏକ ୨୦ ବର୍ଷର ଯୁବତୀ ନିଜ ଘର ପ୍ରିଣ୍ଟରରେ ଟଙ୍କା ଛାପିବା ପରେ ତାକୁ ନେଇ କାର କିଣିବା ପାଇଁ ବାହାରି ପଡିଥିଲେ କିନ୍ତୁ ଏହି ଭୁଲ ତାଙ୍କପାଇଁ ବିପଦର କାରଣ ସାଜିଥିଲା।
ଏହି ଘଟଣାଟି ଘଟିଛି ସୋମବାର ଦିନ, ସୂଚନା ଅନୁଯାୟୀ ଯୁବତୀ ଜଣକ ପ୍ରଥମେ ସେକେଣ୍ଡ ହ୍ୟାଣ୍ଡ କାର ବିକୁଥିବା ଡିଲରଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାପରେ ଅଡ଼ିକାର ଦେଖିବା ପାଇଁ ଚାଲିଯାଇଥିଲେ। ସେ କାରର ଟେଷ୍ଟ ଡ୍ରାଇଭ ନେବା ସହିତ ୧୧ଲକ୍ଷ ଟଙ୍କାର ଏହି କାରକୁ କିଣିବା ପାଇଁ ସ୍ଥିର ମଧ୍ୟ କରିଥିଲେ।ତାପରେ ସେ ନିଜ ଘରେ ଛାପିଥିବା ଟଙ୍କାକୁ ଡ଼ିଲରକୁ ଦେଇଥିଲେ କିନ୍ତୁ ସେହି ଟଙ୍କା ଅସଲି ନୁହେଁ ନକଲି ବୋଲି ଡ଼ିଲରଙ୍କୁ ଜଣାପଡି ଯାଇଥିଲା ଏବଂ ସେ ସଙ୍ଗେ ସଙ୍ଗେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ। ଏହାପରେ ପୋଲିସ ଯୁବତୀଙ୍କୁ ଗିରଫ କରିଥିଲା। ପୋଲିସ ଯୁବତୀଙ୍କ ଘରୁ ୧୩ହଜାର ୟୁରୋ ବା ପାଖାପାଖି ୧୦ଲକ୍ଷ ଟଙ୍କା ଜବତ କରିଥିଲା ଏହି ଘଟଣା ପାଇଁ ଯୁବତୀ ଜଣଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ।