Below header

କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ହେଲିକପ୍ଟର, ସମସ୍ତ ୯ ଜଣ ସୈନିକ ମୃତ

ଉତ୍ତର କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ହେଲିକପ୍ଟର । ଏହି ଦୁଃଖଦ ଦୁର୍ଘଟଣାରେ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି ।

ଉତ୍ତର କଲମ୍ବିଆରେ ଦୁର୍ଘଟଣାଗ୍ରସ୍ତ ହୋଇଛି ସେନାର ହେଲିକପ୍ଟର । ଏହି ଦୁଃଖଦ ଦୁର୍ଘଟଣାରେ ୯ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏଠାରେ ସେନାର ହେଲିକପ୍ଟରଟି ସୈନିକମାନଙ୍କ ପାଇଁ ସାମଗ୍ରୀ ନେଇ ଯାଉଥିଲା । ଏକ ଗ୍ରାମୀଣ ଅଞ୍ଚଳରେ ଏହା କ୍ରାସ୍‌ ହୋଇଥିଲା । ଏଥିରେ ହେଲିକପ୍ଟରରେ ଥିବା ସମସ୍ତ ୯ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି ।

କଲମ୍ବିଆ ସେନା ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ଏହି ହେଲିକପ୍ଟର ସାନ୍ତା ରୋସା ଡେଲ୍‌ ସୁର ମ୍ୟୁନିସିପାଲିଟିରେ ସୈନିକମାନଙ୍କ ପାଇଁ ସାମଗ୍ରୀ ନେଇ ଯାଉଥିଲା । ବର୍ତ୍ତମାନ ଦୁର୍ଘଟଣାର କାରଣ ଜଣା ପଡ଼ିନାହିଁ ।

ତେବେ ଯେଉଁଠି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ସେହି ସ୍ଥାନରେ ନିକଟରେ ନ୍ୟାସନାଲ ଲିବରେସନ୍ ଆର୍ମି ଗରିଲା ଗ୍ରୁପ୍‌ ଏବଂ ମାଦକ ଦ୍ରବ୍ୟ କାରବାର କରୁଥିବା ଗଲ୍ଫ କ୍ଲାନ୍ ନାମକ ଚର୍ଚ୍ଚିତ ଗ୍ୟାଙ୍ଗ୍‌ ମଧ୍ୟରେ ସଂଘର୍ଷ ହୋଇଥିଲା । ହେଲିକପ୍ଟର କ୍ରାସ୍‌ ଘଟଣାକୁ ସେନା ଏକ ଦୁର୍ଘଟଣା ବୋଲି କହିଛି । ତେଣୁ ସେନାର ବୟାନରୁ ସ୍ପଷ୍ଟ ହୋଇଛି କି, ହେଲିକପ୍ଟରରେ କୌଣସି ପ୍ରକାରର କିଛି ଆକ୍ରମଣ କରାଯାଇ ନାହିଁ ।

କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସୋମବାର ‘X’ରେ ଏକ ପୋଷ୍ଟରେ କହିଛନ୍ତି, ‘ହେଲିକପ୍ଟର କ୍ରାସ୍‌ରେ ୯ ଜଣ ସୈନିକଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହା ସୈନିକମାନଙ୍କୁ ସାମଗ୍ରୀ ଯୋଗାଣ କରୁଥିଲା, ଯେଉଁମାନେ ଗଲ୍ଫ କ୍ଲାନ୍‌ ବିରୋଧରେ ଅପରେସନ୍ ଚଳାଇଛନ୍ତି’ । ସେନା ସୂଚନା ଦେଇଛି ଯେ ସ୍ଥାନୀୟ ସମୟ ଅନୁସାରେ ଅପରାହ୍ନ ପ୍ରାୟ ୧ଟା ୫୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା ।

ହେଲିକପ୍ଟରଟି ରୁଷ୍‌ ନିର୍ମିତ ଏମ୍‌ଆଇ-୧୭ ହେଲିକପ୍ଟର ଥିଲା । ଏହା ପ୍ରାୟତଃ ସୈନିକଙ୍କୁ ନେବା ଆଣିବା କରିବା ଏବଂ ସାମଗ୍ରୀ ଯୋଗାଣ ପାଇଁ ବ୍ୟବହୃତ ହେଉଥିଲା । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ହେଲିକପ୍ଟରରେ ଥିବା କୌଣସି ବି ସୈନିକ ବଞ୍ଚିପାରି ନ ଥିଲେ । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.