ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ହେଲା ବ୍ୟବଚ୍ଛେଦ, ଏକ ଘଣ୍ଟା ଧରି ପୋଷ୍ଟମର୍ଟମର ହେଲା ଭିଡିଓଗ୍ରାଫି

କେନ୍ୟୁଜ୍(ବ୍ୟୁରୋ): ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଫରେନସିକ ବିଭାଗ ମୁଖ୍ୟ ଡା. ଏମ କେ ୱାହିଙ୍କ ନେତୃତ୍ୱରେ ତିନିଜଣିଆ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରିଛନ୍ତି । ଦିଲ୍ଲୀ ପୋଲିସ ଓ ଉତ୍ତର ପ୍ରଦେଶ ପୋଲିସ ଆବଶ୍ୟକ କାଗଜପତ୍ର କାମ ସଂପୂର୍ଣ୍ଣ କରିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ତେବେ ସେମାନଙ୍କୁ ପୋଷ୍ଟମର୍ଟମ ବେଳେ ସାମିଲ କରାଯାଇ ନଥିବା ସଫଦରଜଙ୍ଗ ହସପିଟାଲ ମେଡିକାଲ ସୁପରିଟେଣ୍ଟେଣ୍ଟ ଡା. ସୁନିଲ ଗୁପ୍ତା କହିଛନ୍ତି । ଏକଘଣ୍ଟା ଧରି ଚାଲିଥିଲା ପୋଷ୍ଟମର୍ଟମ । ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ସେପଟେ ଏହି ମାମଲାର ୫ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛି ପୋଲିସ । ଏହା ପରେ ମୃତଦେହକୁ ଦିଲ୍ଲୀରୁ ଉନ୍ନାଓ ଅଣାଯାଉଛି । ଗତକାଲି ରାତି ୧୧ଟା ୪୦ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି । ପୀ଼ଡିତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା । ଗତ ଗୁରୁବାର ପୀଡ଼ିତାଙ୍କ ଉପରେ ଆକ୍ରମଣ ହୋଇଥିଲା । ପାଞ୍ଚଜଣ ଦୁର୍ବୃତ୍ତ ତାଙ୍କୁ ଛୁରୀ ଭୁସିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ । ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରି ଜେଲ ଯାଇଥିଲେ । ଜାମିନରେ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.