ଭୁବନେଶ୍ୱର(କେନ୍ୟୁଜ୍) : ମେ ୩ ପରେ କ’ଣ ହେବ ? ଲକ୍ଡାଉନ୍ ବଢ଼ିବ ନା କମିବ ଏ ନେଇ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ପ୍ରଶ୍ନ ବାଚୀ । ଯେପର୍ଯ୍ୟନ୍ତ କରୋନା ପାଇଁ ଔଷଧ ବିକଶିତ ହୋଇପାରି ନାହିଁ, ଲକ୍ଡାଉନ୍ ଛଡ଼ା ଅନ୍ୟ ବିକଳ୍ପ ନାହିଁ ବୋଲି ସବୁ ବିକଶିତ ଦେଶଗୁଡ଼ିକର ମତ ।
ଏ ନେଇ ସମସ୍ତଙ୍କ ନଜର ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ଗୋଟିଏ ପଟରେ ଦେଶର ଅର୍ଥ ନୀତି ଓ ଅନ୍ୟ ପଟରେ ଦେଶର ଜନତାଙ୍କ ସୁରକ୍ଷା ।
ଗତକାଲି ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ବିଭିନ୍ନ ରାଜ୍ୟର କରୋନା ସ୍ଥିତି ଉପରେ ଆଲୋଚନା କରିଛନ୍ତି । ରାଜ୍ୟର କରୋନା ସ୍ଥିତି ନେଇ ଲକ୍ଡାଉନ୍ ସପକ୍ଷରେ ମଧ୍ୟ ମୁଖ୍ୟମନ୍ତ୍ରୀମାନେ ମତ ଦେଇଛନ୍ତି ।
ତେଣୁ ଲକ୍ଡାଉନ୍ ହେବା ଏକରକମ ନିଶ୍ଚୟ ହୋଇଯାଇଛି କହିଲେ ଭୁଲ୍ ହେବନାହିଁ । କେବଳ ଲକ୍ଡାଉନ୍ରେ କିଛି କୋହଳ କରାଯାଇପାରେ । ହୁଏତ ଗ୍ରୀନ୍,ଅରେଞ୍ଜ ଓ ରେଡ୍ ଜୋନ୍ ଆଧାରରେ ନିଷ୍ପତ୍ତି ନିଆଯାଇପାରେ ।
ଗ୍ରୀନ୍ ଜୋନ୍ରେ ଲକ୍ଡାଉନକୁ ଉଠାଇବା ସହ ଅରେଞ୍ଜ ଜୋନ୍ରେ ଲକ୍ଡାଉନ୍ କୋହଳ କରାଯାଇପାରେ । ତେବେ ରେଡ୍ ଜୋନ୍ରେ ଲକ୍ଡାଉନ୍ ପୂର୍ବ ଭଳି ଜାରି ରହିବ ବୋଲି ଆଶା କରାଯାଉଛି ।
ହଟ୍ ସ୍ପଟ୍ ଅଞ୍ଚଳରେ ନିୟମରେ କୋହଳ କରାଯିବାର ପ୍ରଶ୍ନ ନାହିଁ ବୋଲି କୁହାଯାଉଛି । ଦେଖାଯାଉ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀ କି ନିଷ୍ପତ୍ତି ନେଇ ଆସୁଛନ୍ତି ।