ପୁରୀ(କେନ୍ୟୁଜ): ପୁରୀରେ ରଥ ନିର୍ମାଣ ନେଇ ହଟିଲା ସସପେନ୍ସ । ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ ରଥ କାମ। ତିନି ରଥର ମୁଖ୍ୟ ବିଶ୍ୱକର୍ମା ମହାରାଣା ଓ ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ରଥନିର୍ମାଣ ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତିକୁ ଅନୁପାଳନ କରାଯିବ। ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ରଥ ନିର୍ମାଣ ହୋଇ ପାରିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଗ୍ରୀନ୍ ସିଗନାଲ୍ ଦେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଖଳାରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ନହେବା ସହ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ତେବେ ରଥଯାତ୍ରା ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ ହାତରେ ଛାଡ଼ିଛନ୍ତି କେନ୍ଦ୍ର ସରକାର ।