ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ଦେଲେ ନିର୍ଦ୍ଦେଶ
କେନ୍ୟୁଜ୍ (ବ୍ୟୁରୋ): ବାତ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ହୋଇଥିବା ବାତ୍ୟା ଅମ୍ଫାନ ଯୋଗୁଁ କେଉଁ ଅଂଚଳ, କେତେ ପ୍ରଭାବିତ, କେତେ କ୍ଷୟକ୍ଷତି ହୋଇଛି, ତାର ସମୀକ୍ଷା କରିଛନ୍ତି ନବୀନ । ଗତକାଲି ବାତ୍ୟା ଅମ୍ଫାନ ରାଜ୍ୟର ୪ଟି ଜିଲ୍ଲାରେ ବିଶେଷ କରି କ୍ଷୟକ୍ଷତି କରିଛି ।ବ୍ୟାପକ ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିବା ସହ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ସଫା ହେବା ସହ ଯୋଗାଯୋଗ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।
Undertook an aerial survey of #CycloneAmphan affected areas in #Odisha. The cyclone has severely damaged houses, standing crops, electrical infrastructure and uprooted trees in many districts. Steps are being taken up on a war footing to restore normalcy. pic.twitter.com/u230DiMNKK
— Naveen Patnaik (@Naveen_Odisha) May 21, 2020
ପ୍ରାଥମିକ ଆକଳନ ଅନୁସାରେ ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ବାତ୍ୟା ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହ ପୁନରୁଦ୍ଧାର ପାଇଁ ସେସୁ ଅଧୀନରେ ଥିବା ଅଞ୍ଚଳରେ ୨୪ ଘଣ୍ଟା ଓ ନେସ୍କୋ ଅଧିନରେ ୭୨ ଘଣ୍ଟା ପାଇଁ ସମୟ ଦେଇଛନ୍ତି। ଆସନ୍ତା ୩ ଦିନ ଭିତରେ କୃଷି କ୍ଷୟକ୍ଷତିର ଆକଳନ ଓ ସପ୍ତାହେ ମଧ୍ୟରେ ଘର ଭଙ୍ଗା କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ବାତ୍ୟାରେ ପଶ୍ଚିମବଙ୍ଗରେ ହୋଇଥିବା ଧନଜୀବନ କ୍ଷୟକ୍ଷତି ନେଇ ଶୋକ ପ୍ରକାଶ କରିଛନ୍ତି ନବୀନ। ସଂକଟ ସ୍ଥିତିରେ ଓଡ଼ିଶା ପଶ୍ଚିମବଙ୍ଗ ସହିତ ରହିଛି ବୋଲି ସେ କହିବା ସହ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।