ନବରଙ୍ଗପୁର (କେନ୍ୟୁଜ୍) : ନାମଟି ଯେମିତି କାମ ବି ସେମିତି । ଚାରି ବର୍ଷର ଝିଅଟିଏ । ରହୁଛି ଲଣ୍ଡନରେ । ହେଲେ ଚିନ୍ତା ତାର ଓଡ଼ିଶା ପାଇଁ । ନିଜ ମା’ ମାଟି ପାଇଁ । ନବରଙ୍ଗପୁର ଇଚ୍ଛାବତୀଗୁଡା ନିବାସୀ ନିରଞ୍ଜନ ପଟ୍ଟନାୟକଙ୍କ ନାତୁଣୀ ଏବଂ ବିଭୁତି ଭୂଷଣ ପଟନାୟକ ଓ ସ୍ୱାଗତିକା ତ୍ରିପାଠୀଙ୍କ କନ୍ୟା ଅଦ୍ଵିତୀ । ଗତ ଜୁଲାଇ ୭ ତାରିଖରେ ଅଦ୍ୱିତୀ ଜନ୍ମଦିନ ପାଳିଥିଲେ । ବାପା ମାଆ ସାଙ୍ଗ ସାଥିଙ୍କ ଗହଣରେ ଲଣ୍ଡନରେ ପାଳନ କରି ଥିଲେ ଜନ୍ମ ଉତ୍ସବ । ତେବେ ଜନ୍ମ ଦିନରେ ଯାହା ଉପହାର ଅର୍ଥ ଆକାରରେ ମିଳିଥିଲା ତାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ଅଦ୍ଵିତୀଙ୍କ ଇଚ୍ଛା ଅନୁଯାୟୀ ଜେଜେବାପା ନିରଞ୍ଜନ ପଟନାୟକ ଏବଂ ଦାଦା କାହ୍ନ ଚରଣ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲାପାଳ ଡାକ୍ତର ଅଜିତ ମିଶ୍ରଙ୍କୁ ଭେଟିଥିଲେ । ତାଙ୍କ ଜରିଆରେ ଓଡିଶା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି କୁ ୨୧ ହଜାର ଟଙ୍କା ଦାନ କରିଥିଲେ । ଏହି ସମୟର ଲଣ୍ଡନରେ ରହୁଥିବା ଅଦ୍ଵିତୀଙ୍କ ସହିତ ଜିଲ୍ଲାପାଳଙ୍କ ଫୋନ୍ରେ କଥା ହୋଇଥିଲେ ।