ଓଡ଼ିଶା ସରକାର-ରଗ୍‌ବୀ ଇଣ୍ଡିଆ ଏମ୍‌ଓୟୁ, ଜାତୀୟ ରଗ୍‌ବୀ ଟିମ୍‌ର ୩ ବର୍ଷ ପାଇଁ ପ୍ରାୟୋଜକ ହେବ ଓଡ଼ିଶା

କେନ୍ୟୁଜ(ବ୍ୟୁରୋ): ଓଡ଼ିଶାରେ ରଗ୍‌ବୀ ଖେଳର ପ୍ରଚାର, ପ୍ରସାର ଓ ବିକାଶ ପାଇଁ ଓଡ଼ିଶା ସରକାର ଏବଂ ରଗ୍‌ବୀ ଇଣ୍ଡିଆ ମଧ୍ୟରେ ଆଜି ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ଜାତୀୟ ରଗ୍‌ବୀ ଦଳଗୁଡ଼ିକୁ ଉନ୍ନତ ଧରଣ ପ୍ରଶିକ୍ଷଣ ଦେବା ସହ ଖେଳାଳିଙ୍କୁ ପ୍ରସ୍ତୁତ କରିବାରେ ସବୁ ସୁବିଧା ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ତିନି ବର୍ଷ ପାଇଁ ରାଜ୍ୟ ସରକାର- ଜାତୀୟ ରଗ୍‌ବୀ ଫୁଟ୍‌ବଲ୍‌ ୟୁନିୟନ୍‌ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ସ୍କୁଲସ୍ତରରେ ରଗ୍‌ବୀ କ୍ରୀଡ଼ାର ପ୍ରସାର ଓ ବିକାଶ ସହ ରଗ୍‌ବୀ ଇଣ୍ଡିଆର ଜାତୀୟ ଓ ଆନ୍ତର୍ଜାତିକ ଖେଳାଳିମାନଙ୍କୁ ପ୍ରୋତ୍ସାହନ, ସ୍କୁଲସ୍ତରରେ ଛାତ୍ରଛାତ୍ରୀଙ୍କୁ ରଗ୍‌ବୀ ପ୍ରଶିକ୍ଷଣ ଆଦି ଉପରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ଏହା ବ୍ୟତୀତ ରାଜ୍ୟରେ ଥିବା ହାଇ ପରଫରମାନ୍‌ସ ସେଣ୍ଟରକୁ ଫୁଟବଲ୍‌ ପ୍ରଶିକ୍ଷଣ ବାଦ ରଗ୍‌ବୀ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯବି । ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଓଡ଼ିଶା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଭିନିଲ୍‌ କ୍ରିଷ୍ଣା, ରଗ୍‌ବୀ ଇଣ୍ଡିଆର ସଭାପତି ମାନେକ ଉନ୍‌ୱାଲା, ସିଇଓ ନାସିର ହୁସେନ୍‌, ଆନ୍ତର୍ଜାତିକ ରଗ୍‌ବୀ ଖେଳାଳି ରାହୁଳ ବୋଷ, ଓଡ଼ିଶା ରଗ୍‌ବୀ ଆସୋସିଏସନ୍‌ର ସଭାପତି ପ୍ରିୟଦର୍ଶୀ ମିଶ୍ର, ସଂପାଦକ ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଆଜି ପୂର୍ବାହ୍ନରେ ରଗ୍‌ବୀ ଇଣ୍ଡିଆର ସଭାପତି ଉନ୍‌ୱାଲା, ସିଇଓ ନାସିର୍‌ ହୁସେନ୍‌ ଓ ରାହୁଲ ବୋଷ ପ୍ରମୁଖ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ କିଟ୍‌ ଓ କିସ୍‌ ପକ୍ଷରୁ ରଗ୍‌ବୀକୁ ଯେଭଳି ଭାବେ ପ୍ରୋତ୍ସାହିତ କରାଯାଉଛି, ସେଥିପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ରଗବୀ ଇଣ୍ଡିଆର ନବ ନିର୍ବାଚିତ ସଭାପତି ଉନ୍‌ୱାଲାଙ୍କୁ ଶ୍ରୀ ସାମନ୍ତ ଅଭିନନ୍ଦନ ଜଣାଇଥିଲେ ।

 

Leave A Reply

Your email address will not be published.