୧ ଜାନୁଆରୀ ୨୦୨୧ରୁ ସାରା ଦେଶରେ ସମସ୍ତ ଚାରିଚକିଆ ଯାନରେ ଫାଷ୍ଟ୍ୟାଗ୍ ଲଗାଇବା ଅନିବାର୍ଯ୍ୟ ହେବାକୁ ଯାଉଛି। ଜାନୁଆରୀ ପହିଲାରୁ ୧ ଡିସେମ୍ବର ୨୦୧୭ ପୂର୍ବରୁ ବିକ୍ରି ହୋଇଥିବା ନୂଆ-ପୁରୁଣା ସବୁ ପ୍ରକାରର ଯାନବାହନ ପାଇଁ ମଧ୍ୟ ଫାଷ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ।
ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ୍ ଗଡ଼କରୀ କହିଛନ୍ତି, ସମସ୍ତ ଚାରିଚକିଆ ଗାଡ଼ିରେ ନୂଆବର୍ଷ ଠାରୁ ଫାଷ୍ଟ୍ୟାଗ୍ ବାଧ୍ୟତାମୂଳକ ହେବ। ଯେଉଁ ଗାଡ଼ିରେ ଫାଷ୍ଟ୍ୟାଗ୍ ଲାଗିନଥିବ, ସେମାନଙ୍କୁ ଥାର୍ଡପାର୍ଟି ବୀମା ଦିଆଯିବ ନାହିଁ। ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ଏହି ବ୍ୟବସ୍ଥା ଏପ୍ରିଲ ୨୦୨୧ରୁ ଲାଗୁ ହେବ। ଗଡ଼କରୀ କହିଛନ୍ତି, ଫାଷ୍ଟ୍ୟାଗ୍ ଗ୍ରାହକଙ୍କ ପାଇଁ ଲାଭଦାୟକ ହେବ। ଏହାର ବ୍ୟବହାର କରୁଥିବା ଗାଡ଼ି ମାଲିକଙ୍କୁ ଟୋଲ୍ ପାଇଁ ଟ୍ୟାକ୍ସ ଭରିବା ବେଳେ ଅଟକିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଉଭୟ ଇନ୍ଧନ ଓ ସମୟ ବଞ୍ଚିବ।
ଡିସେମ୍ବର ୨୫ ପରଠାରୁ ଆର୍ଟିଓ ଅଫିସରେ କେବଳ ସେହି ଚାରିଚକିଆ ଯାନବାହାନର ରେଜିଷ୍ଟ୍ରେସନ୍ ହେବ ଯେଉଁମାନଙ୍କର ଫାଷ୍ଟ୍ୟାଗ୍ ଲାଗିଥିବ। ଏନେଇ ଦେଶର ସମସ୍ତ ଗାଡ଼ି ଡିଲରଙ୍କୁ ପୂର୍ବରୁ ହିଁ ସୂଚନା ଦିଆଯାଇଛି। ସମସ୍ତ ଡିଲରକୁ ସରକାରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।