ଟଙ୍କା ଭର୍ତ୍ତି ବ୍ଯାଗ୍ ନେଇ ଛୁ ମାରୁଥିବାବେଳେ ଧରାପଡିଗଲା ଚୋର, ନିର୍ଦ୍ଧୁମ ଛେଚିବା ପରେ ପୋଲିସ୍ ଜିମା ଦେଲେ ଲୋକେ
ବାସୁଦେବପୁର: କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଯେତେ ଚତୁରତାର ସହ ସେ ଚୋରି କରୁଥାଉ ନା କାହିଁକି, କେତେବେଳେ ତ ନିଶ୍ଚିନ୍ତ ଧରାପଡିଥାଏ ତାର କଳା କାରନାମା । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନା ଆଗରେ ଥିବା ପରିବା ବଜାର ନିକଟରେ ।
ବାସୁଦେବପୁର ପୌରପାଳିକା ସ୍ଥିତ ମନ୍ଦାରୀ ପାରା ଗ୍ରାମର ଅଭିରାମ ମଲ୍ଲିକ। ଅଭିରାମ ଘର କାମ କରିବା ପାଇଁ ଭାରତୀ ଷ୍ଟେଟ ବ୍ଯାଙ୍କ ଶାଖାରୁ ନିଜର ଜିପିଏଫ ଟଙ୍କାରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। ସେଇ ଟଙ୍କାକୁ ସେ ଏକ ବ୍ଯାଗରେ ଭର୍ତି କରି ସାକେଲ ଯୋଗେ ଆସି ବାସୁଦେବପୁର ଡାକ୍ତରଖାନା ଆଗରେ ଥିବା ପରିବା ବଜାରରୁ ପରିବା କିଣୁଥିଲେ। ହେଲେ ସେ ଜାଣିନଥିଲେ ତାଙ୍କ ଉପରେ ଥିଲା ଦୁର୍ବୁତ୍ତର ନଜର। ଟିକେ ସୁଯୋଗ ପାଇବା କ୍ଷଣି ଆଖି ପିଛୁଳାକେ ଅଭିରାମଙ୍କ ହାତରେ ଥିବା ବ୍ଯାଗ୍ ଝାମ୍ପିନେଇ ଛୁ ମାରିଲା ଦୁର୍ବୁତ୍ତ ଜଣଙ୍କ।
ହେଲେ ସବୁଦିନ ସମାନ ନଥାଏ । ବୋଧହୁଏ ଅଭିରାମଙ୍କ ଝାଳବୁହା ସଞ୍ଚିତ ଧନ ଆଗରେ ଚୋରର ଚତୁରତା ହାର୍ ମାନିଲା। ସଂଗେ ସଂଗେ ଅଭିରାମଙ୍କ ଚିତ୍କାର ଶୁଣି ଚୋରକୁ ଗୋଡାଇ ଥିଲେ ସ୍ଥାନୀୟ ଲୋକେ, ଆଉ ଶେଷରେ ତାକୁ କାର ଷ୍ଟାଣ୍ଡ ପାଖରେ କାବୁ କରି ଉତ୍ତମ ମଧ୍ଯମ ଦେବା ସହିତ ପୋଲିସର ଜିମା ଦେଇଥିଲେ। ଘଟଣାପରେ ଏନେଇ ଅଭିରାମ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି।
ବାସୁଦେବପୁରରୁ ସତ୍ଯକାନ୍ତ ନାୟକଙ୍କ ରିପୋର୍ଟ, କେନ୍ଯୁଜ୍