Below header

ହୃଦୟ ବିଦାରକ ଦୃଶ୍ୟ: ମା’ର ମରଶରୀର ନେବାକୁ ଆମ୍ବୁଲାନ୍ସ ମିଳିଲାନି, ଶେଷରେ ବାଇକରେ ମୃତ ମା’କୁ ବସାଇ ମଶାଣି ନେଲା ପୁଅ

କରୋନା ମହାମାରୀ ଯୋଗୁ ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି। ରୋଗୀଙ୍କୁ ହସପିଟାଲରେ ଜାଗା ମିଳୁନି କିମ୍ବା କେଉଁଠି ରୋଗୀଙ୍କୁ ଅକ୍ସିଜେନ ମିଳୁନି। କେବଳ ଏମିତି ନୁହେଁ, ଆମ୍ବୁଲାନ୍ସ ପାଇଁ ରୋଗୀଙ୍କୁ ବିଭିନ୍ନ ହଇରାଣ ହରକତ ହେବାକୁ ପଡୁଛି। ଏହା ଭିତରେ କରୋନା ଅନେକ ହୃଦୟ ବିଦାରକ ଦୃଶ୍ୟ ଦେଖାଇଲାଣି। କେଉଁଠି ସ୍ତ୍ରୀ ଶତଚେଷ୍ଟା ପରେ ବି ସ୍ୱାମୀ ଚାଲିଯାଉଛି. ତ ଆଉ କେଉଁଠି ବିଦେଶରେ ଥାଇ ଭିଡିଓ କଲ୍ରେ ବାପାମାଆକୁ ପୁଅ ଅନ୍ତିମ ବିଦାୟ ଦେଉଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାରୁ ମଧ୍ୟ ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ଏଠାରେ ଏକ ଡାକ୍ତରଖାନାରୁ ମାଆର ଶବ ନେବାକୁ ମିଳିଲାନି ଆମ୍ବୁଲାନ୍ସ। ଶେଷରେ ମୃତ ମାଆକୁ ବାଇକ୍ରେ ବସାଇ ମଶାଣି ନେଲା ପୁଅ। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଶ୍ରୀକାକୁଲମ ଜିଲ୍ଲାର ମଣ୍ଡାସା ମାଣ୍ଡାଲ ଗାଁର ଜଣେ ୫୦ ବର୍ଷୀୟା ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖା ଦେବା ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଟେଷ୍ଟ ମଧ୍ୟ କରାଇଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। କରୋନା ରିପୋର୍ଟ ଆସିବା ପୂର୍ବରୁ ହିଁ ଆରପାରିକୁ ଚାଲିଗଲେ ମହିଳା।

ମହିଳାଙ୍କ ମୃତ୍ୟୁ ପରେ ହସ୍ପିଟାଲ୍ରେ ଆମ୍ବୁଲାନ୍ସ ପାଇଁ କହିଥିଲେ ପରିବାର ଲୋକେ। ହେଲେ କରୋନା କାର୍ଯ୍ୟରେ ଲିପ୍ତ ଥିବା ଯୋଗୁ ଡାକ୍ତରଖାନାରେ ଆମ୍ବୁଲାନ୍ସ ନଥିଲା। କରୋନା ପୀଡିତାଙ୍କ ଶବ ନେବାକୁ ଅନ୍ୟ କୌଣସି ଗାଡ଼ି ବି ରାଜି ହୋଇନଥିଲେ। ଶେଷରେ ବାଧ୍ୟ ହୋଇ ବାଇକ୍ରେ ବସାଇ ମୃତ ମାଆକୁ ମଶାଣି ନେଇଥିଲେ ପୁଅ ଓ ଜ୍ୱାଇଁ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ସୂଚନାଯୋଗ୍ଯ, ଗତ କିଛିଦିନ ତଳେ ଆମ୍ବୁଲାନ୍ସ ମିଳିଲାନି କି କେହି କାନ୍ଧ ଦେଇନଥିବାରୁ କାର ଛାତ ଉପରେ ବାନ୍ଧି ମଶାଣି ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.