ଦାୟିତ୍ୱହୀନତା: ଶବଗୃହରେ ପଡ଼ି ସଢ଼ୁଥିଲା ମହିଳାଙ୍କ ମୃତଦେହ, କୁଟ କୁଟ କରି ଖାଇ ଚାଲିଥିଲେ ମୂଷା, ପିମ୍ପୁଡ଼ି

ଉତ୍ତର ପ୍ରଦେଶର ଆଜମଗଡ଼ରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ମୃତଦେହ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ଵହୀନତା କାରଣରୁ ୪ ଦିନ ଧରି ହସ୍ପିଟାଲ ଶବଗୃହରେ ପଡ଼ି ସଢ଼ି ଚାଲିଥିଲା। ମୃତଦେହର ଅଧିକାଂଶ ଭାଗକୁ ମୂଷା ଓ ପିମ୍ପୁଡ଼ି ଖାଇ ଯାଇଥିଲେ। ମୃତଦେହ ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ଦୁର୍ଗନ୍ଧ ଯେତେବେଳେ ଆଖପାଖ ଅଞ୍ଚଳରେ ବ୍ୟାପି ଯାଇଥିଲା, ତ ସେତେବେଳେ ଏହି ମାମଲାର ଖୁଲାସା ହୋଇଥିଲା।

ବର୍ତ୍ତମାନ ଲୋକେ ହସ୍ପିଟାଲର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଶବଗୃହରେ ଏକ ମୃତଦେହକୁ ୪ ଦିନ ଧରି ମୂଷା ଓ ପିମ୍ପୁଡ଼ି ଖାଇ ଚାଲିଥିଲେ ମଧ୍ୟ କେହି କେମିତି ଜାଣିପାରିଲେ ନାହିଁ।

କ’ଣ ହୋଇଥିଲା ସେହି ଦିନ

ଆଜମଗଡ଼ ସଦର ହସ୍ପିଟାଲର ରେକର୍ଡ ମୁତାବକ, ଗତ ଏପ୍ରିଲ ୨୯ ତାରିଖ ସନ୍ଧ୍ୟାରେ ବିଲରିୟାଗଞ୍ଜ ରାସ୍ତାରେ ଆହତ ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ବୟସ ପାଖାପାଖି ୩୨ ବର୍ଷ। ଏହି ଅଜଣା ମହିଳାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କର୍ମଚାରୀମାନେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରଦିନ ଅର୍ଥାତ ୩୦ ଏପ୍ରିଲ ସକାଳେ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ କର୍ମଚାରୀମାନେ ମୃତଦେହକୁ ଶବଗୃହରେ ରଖି ଦେଇଥିଲେ ଏବଂ ମୃତଦେହକୁ ଚିହ୍ନଟ ଓ ବ୍ୟବଚ୍ଛେଦ ଲାଗି ପୋଲିସକୁ ଖବର ଦେଇଥିଲେ।

ଏହି ମାମଲାରେ ଆଜମଗଡ଼ ସିଏମଓଙ୍କ କହିବା ହେଲା, ବିନା ଦାବିଦାର ଥିବା ଏକ ମୃତଦେହକୁ ୩ ଦିନ ପୂର୍ବେ ପୋଷ୍ଟମର୍ଟମ ହାଉସରେ ରଖାଯାଇଥିଲା। ୭୨ ଘଣ୍ଟା ଅବଜର୍ଭେଶନରେ ରଖାଯିବା ପରେ ଆଜି ଏହାର ପୋଷ୍ଟମର୍ଟମ କରାଯାଉଛି।

Leave A Reply

Your email address will not be published.