କେନ୍ୟୁଜ୍(ବ୍ୟୁରୋ): ବେଆଇନ୍ ଭାବେ ଫାଭି ଫ୍ଲୁ ଔଷଧ ଗଚ୍ଛିତ ରଖିଥିଲା ଗୌତମ ଗମ୍ଭୀର ଫାଉଣ୍ଡେସନ୍ । ଦିଲ୍ଲୀ ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଦିଲ୍ଲୀ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲର । ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ୍ ବେଆଇନ୍ ଭାବେ ଫାଭି ଫ୍ଲୁ ଗଛିତ ରଖିବା ସହ ରୋଗୀଙ୍କୁ ବାଣ୍ଟିଥିବା ଦିଲ୍ଲୀ ଔଷଧ ନିୟାମକ ଜଣାଇଛନ୍ତି । ନିଜର କୌଣସି ଲାଇସେନ୍ସ ନଥାଇ ଗୌତମ ଗମ୍ଭୀର ଫାଉଣ୍ଡେସନ୍ ୨ହଜାର ଷ୍ଟ୍ରିପ୍ ଔଷଧ ଲାଇସେନ୍ସପ୍ରାପ୍ତ ଡିଲରଙ୍କ ଠାରୁ କିଣିଥିଲା । ଯାହା ବେଆଇନ୍ ।
କୌଣସି ବିଳମ୍ବ ନକରି ଗମ୍ଭୀର ଫାଉଣ୍ଡେସନ୍ ଏବଂ ଔଷଧ ଡିଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋର୍ଟଙ୍କୁ କହିଛନ୍ତି ଡ୍ରଗ୍ କଣ୍ଟ୍ରୋଲର । ଏଥିରେ ଅନ୍ୟ କେହି ଅଭିଯୁକ୍ତ ଥିଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ । ଡ୍ରଗ୍ସ ଆଣ୍ଡ କସ୍ମେଟିକ୍ସ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । କେବଳ ଗମ୍ଭୀର ଫାଉଣ୍ଡେସନ୍ ନୁହେଁ, ଆପ୍ ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି ।
ଉଭୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ଡ୍ରଗ୍ କଣ୍ଟ୍ରୋଲର । ଏହି ମାମଲାରେ ୬ ସପ୍ତାହ ମଧ୍ୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଡ୍ରଗ୍ କଣ୍ଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ।