ନବଜୋତ ସିଂହ ସିଦ୍ଧୁ ହେଲେ ପଞ୍ଜାବ କଂଗ୍ରେସର ନୂଆ କ୍ୟାପଟେନ୍, ସାଙ୍ଗରେ ରହିବେ ୪ କାର୍ଯ୍ୟକାରୀ ଅଧ୍ୟକ୍ଷ
ଚଣ୍ଡୀଗଡ଼ : ପଞ୍ଜାବ କଂଗ୍ରେସ ସଙ୍କଟ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ତାଙ୍କୁ ଆଜି ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ଘୋଷଣା କରିଛି । ଆଗକୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ ସହ ୪ ଜଣ କାର୍ଯକାରୀ ଅଧ୍ୟକ୍ଷଙ୍କୁ ମଧ୍ୟ ନିଯୁକ୍ତ କରିଛି । ସେମାନେ ହେଲେସଂଗତ ସିଂ ଗିଲଜନ, ସୁଖବିନ୍ଦର ସିଂ ଡାନି, ପୱନ ଗୋୟଲ ଏବଂ କୁଲଜିତ ସିଂ ନାଗ୍ରା ।
ସୋନିଆ ଗାନ୍ଧୀ ନିଜେ କଂଗ୍ରେସ ସାଂସଦ ଓ ନେତାମାନଙ୍କୁ ଡାକିଥିଲେ। ଏହା ପରେ ସିଦ୍ଧୁଙ୍କୁ ବିରୋଧ କରୁଥିବା ନେତାଙ୍କ ସ୍ୱର ନରମି ଯାଇଥିଲା। ସୂଚନା ଥାଉ କି କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁଙ୍କୁ ସୁନୀଲ ଜାଖଡ଼ଙ୍କ ସ୍ଥାନରେ ନୂତନ ରାଜ୍ୟ ସଭାପତି କରାଯାଇଛି।
ଏଠାରେ ଆଉ ଏକ କଥା ଲକ୍ଷ୍ୟ କରାଯାଇଛି ଯେ ଏପର୍ଯ୍ୟନ୍ତ କଂଗ୍ରେସ ଯେବେ କେଉଁ ଅଧ୍ୟକ୍ଷ କିମ୍ବା ମୁଖ୍ୟମନ୍ତ୍ରୀ କରନ୍ତି ସୋନିଆ ଗାନ୍ଧିଙ୍କ ନାମରେ ପତ୍ର ଆସିଥାଏ । ହେଲେ ଏଥର ପ୍ରଥମ ଥର ପାଇଁ ପ୍ରଦେଶ କାର୍ଯ୍ୟକାରିଣୀ ପୂର୍ବରୁ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଦିଆଗଲା । ପ୍ରଦେଶ କାର୍ଯ୍ୟକାରିଣୀ ବୈଠକ ସୋମବାର ଥିବା ବେଳେ ରବିବାର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି ।
ପ୍ରକାଶଯୋଗ୍ୟ, ସିଦ୍ଧୁଙ୍କୁ ରାଜ୍ୟ ସଭାପତି କରିବା ନେଇ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିର୍ବାଚନ ପୂର୍ବରୁ ଏଭଳି ପରିବର୍ତ୍ତନ ରାଜ୍ୟରେ ଦଳକୁ କ୍ଷତି ପହଞ୍ଚାଇବ ବୋଲି ସେ କହିଥିଲେ ।