ପାଠପଢ଼ା ସହିତ ଧବଳେଶ୍ୱରଙ୍କ ସେବାରେ ମଗ୍ନ କୁନି ସେବାୟତ ଚିନ୍ମୟ ପାତ୍ର

ଆରମ୍ଭ ହୋଇଛି ଶ୍ରାବଣ ମାସ। କିନ୍ତୁ କରୋନା ସବୁ ବିଗାଡ଼ି ଦେଇଛି। ଭକ୍ତଙ୍କୁ ଏଥର ମନ୍ଦିର ମନା। ତେବେ ଭକ୍ତ ଦୂରରୁ ରହି ଭଗବାନଙ୍କୁ ସ୍ମରଣ କରି ନିଜ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ କରୁଛନ୍ତି। ରାଜ୍ୟର ସବୁ ପ୍ରସିଦ୍ଧ ଶିବ ମନ୍ଦିର ମଧ୍ୟ ଏବେ ଖାଁ ଖାଁ। ଏହାରି ମଧ୍ୟରେ ଏକ ଅପୂର୍ବ ପରିବେଶ ଦେଖିବାକୁ ମିଳିଛି ଭଗବାନ ଧବଳେଶ୍ୱରଙ୍କ ପୀଠରେ। ଏଠାରେ ଜଣେ କୁନି ସେବାୟତ କରୁଛନ୍ତି ମହାଦେବଙ୍କ ସେବା।

ଭଗବାନଙ୍କୁ ସେବା କରିବା ଏବଂ ତାଙ୍କ ସାନିଧ୍ୟ ପ୍ରାପ୍ତ କରିବା ସବୁ ଭକ୍ତଙ୍କ ଇଚ୍ଛା। ବିଶେଷ କରି ମହାଦେବଙ୍କ ସେବାରେ ରହିଥାଏ ଅନେକ ବିଶେଷତ୍ୱ। କିନ୍ତୁ ଏହି ଅବସର ଖୁବ କମ ଲୋକଙ୍କୁ ମିଳିଥାଏ। ବିଶେଷ କରି କୁଳବେଉସାକୁ ଆପଣାଉଥିବା ସେବାୟତ ଏହି ସୌଭାଗ୍ୟ ଅର୍ଜନ କରିଥାନ୍ତି। କିନ୍ତୁ ଆମେ ଏଠାରେ ମହାଦେବଙ୍କ କୁନି ସେବାୟତଙ୍କ କଥା କହୁଛୁ। ମହାପ୍ରଭୁ ଧବଳେଶ୍ୱରଙ୍କ କୁନି ସେବାୟତ ଚିନ୍ମୟ ପାତ୍ର। ବୟସ ମାତ୍ର ୧୦ ବର୍ଷ। କିନ୍ତୁ ମୁହଁରୁ ବାହାରୁଛି ଦେବଦେବ ମହାଦେବଙ୍କ ପାଇଁ ଅନର୍ଗଳ ଦେବମନ୍ତ୍ର। ଆପଣ ଶୁଣିଲେ ବି ହୋଇଯିବେ ଆଶ୍ଚର୍ଯ୍ୟ।

ପାଠପଢ଼ା ସହିତ କୁଳବେଉସାକୁ ବଜାୟ ରଖି ନିଜକୁ ଭୋଳାନାଥଙ୍କ ଆଗରେ ସମର୍ପିତ କରିଛନ୍ତି ଏହି କୁନି ସେବାୟତ। ପ୍ରତିଦିନ ସେବା ମନରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାରେ ଲାଗି ପଡନ୍ତି କୁନି ସେବାୟତ ଚିନ୍ମୟ। ଏତେ ଛୋଟ ବୟସରୁ ସକାଳୁ ଶିବ ନାମ ନେବା ସହିତ ଫୁଲ ଚାଙ୍ଗୁଡି ଧରି ବାହାରି ପଡ଼ନ୍ତି ଧବଳେଶ୍ୱରଙ୍କ ପାଖକୁ। ଆଉ ଲାଗି ପଡ଼ନ୍ତି ସେବାରେ।

କେବଳ ପୂଜା ନୁହେଁ ବରଂ ନିଜ ପାଠପଢ଼ା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଇଥାନ୍ତି ଚିନ୍ମୟ। ତେବେ ପାଠ ପଢ଼ା ସହିତ ଭଗବାନଙ୍କ ସେବା କରିବାରେ ତାଙ୍କୁ ଅନେକ ଆନନ୍ଦ ମିିଳିଥାଏ ବୋଲି ସେ କହିଛନ୍ତି।

Leave A Reply

Your email address will not be published.