ଅନୁଗୁଳ (କେନ୍ୟୁଜ) : ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଅନୁଗୁଳ ସହରର ଏକ ମାତ୍ର ଇକୋ ପାର୍କ ଯାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଦିନେ ଯେଉଁଠି ଆମୋଦ ପ୍ରମୋଦ ହେଉ ଅବା ମର୍ନିଙ୍ଗ ୱାକ ପାଇଁ ଲୋକଙ୍କ ଭିଡ଼ ହେଉଥିଲା ତାହା ଏବେ ଅଣଦେଖା ହୋଇପଡିଛି । ରକ୍ଷଣାବେକ୍ଷଣ ଅଭାବରୁ ଅନୁଗୋଳ ସହରରେ ଥିବା ଇକୋ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଏବେ ଜଙ୍ଗଲରେ ପରିଣତ ହୋଇଛି। ପାର୍କର ଚାରିପଟେ ଥିବା ପାଚେରୀ ଭୁସୁଡିପଡିଥିବା ବେଳେ ଚାରିଆଡେ ଘାସ ବୁଦୁବୁଦିଆ ଜଙ୍ଗଲ ସୃଷ୍ଟି ହୋଇଛି। ପାଦଚଲା ରାସ୍ତା ,ତିଆରି ହୋଇଥିବା କାରଣରୁ ବିଭିନ୍ନ ପଶୁ ପକ୍ଷୀଙ୍କ ମୂର୍ତି ସବୁ ଭାଙ୍ଗିରୁଜି ଗଲାଣି। ଏଠାରେ ଥିବା ଓପନ ଜିମ ଅକାମି ହୋଇ ପଡ଼ିଥିବା ବେଳେ ବୋଟିଂ ସବୁ ଭାଙ୍ଗି ଗଲାଣି ମୋଟାମୋଟି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ତଲାବନ୍ଦ ଖୋଲିବା ପରେ ସତେ ଯେମିତି ପାର୍କ ଟି ହୋଇଯାଇଛି ଶ୍ରୀହୀନ।
ସୂଚନା ଅନୁସାରେ ପ୍ରାୟ ୭ ଏକର ଜମିରେ ୨୦୧୮ ମସିହାରେ ୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ପାର୍କ ।ସହରରେ ଆମୋଦ ପ୍ରମୋଦ ପାଇଁ ଆଉ କେଉଁଠି ପାର୍କ କିମ୍ବା ଭଲ ସ୍ଥାନ ନଥିବା ବେଳେ ଏହି ପାର୍କ ହେଲା ଦିନଠାରୁ ଭିଡ଼ଜମୁଥିଲା । ଯାନୀ ଯାତ୍ରା ହେଉ କି ପର୍ବ ପର୍ବାଣୀ ଲୋକେ ଏଠାକୁ ଆସି ନିଜ ପରିବାର ସହ ବୁଲାବୁଲି କରୁଥିଲେ। ଗାଁ ଗହଲିରୁ ମଧ୍ୟ ଲୋକଙ୍କ ସୁଅ ଛୁଟୁଥିଲା ଯାହା ଏବେ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଯାଇଛି । ଏହାର ପୁନରୁଦ୍ଧାର ହୋଇପାରୁନାହିଁ। ସେପଟେ ପାର୍କ ରକ୍ଷଣାବେକ୍ଷଣ ପାଇଁ ପୂର୍ବତନ ନଗରପାଳ ,ବରିଷ୍ଠ ନାଗରିକଙ୍କୁ ନେଇ ଗଠନ ହୋଇଥିଲା ଏକ କମିଟି କିନ୍ତୁ ସେ କମିଟିକୁ ପୌର ପ୍ରସାଶନ ପକ୍ଷରୁ କାର୍ଯ୍ୟକାରୀ କରାଯାଉନାହିଁ ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର ,କାହିଁକି ହୋଇପାରୁନାହିଁ ରକ୍ଷଣାବେକ୍ଷଣ ତାକୁ ନେଇ ଉଠିଛି ବଡ ପ୍ରଶ୍ନ। ପାର୍କ ନିର୍ମାଣ ହେବାର ମାତ୍ର ୩ ବର୍ଷ ଭିତରେ ଏଭଳି ଅବସ୍ଥା ଏବେଠାରୁ ଏଥିପ୍ରତି ଧ୍ୟାନ ନଦେଲେ ସରକାରୀ ଅର୍ଥ ପାଣିରେ ପଡିବା ସାର ହେବ।