ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗ୍ରାଜୁଏଟ୍ ଆପ୍ଟିଚ୍ୟୁଟ୍ ଟେଷ୍ଟ ଇନ୍ ଇଞ୍ଜିନିୟରିଂ(GATE) ୨୦୨୨ ପରୀକ୍ଷା ପାଇଁ ପଞ୍ଜିକରଣ। ପୂର୍ବରୁ ଏହି ପରୀକ୍ଷା ପାଇଁ ଅଗଷ୍ଟ ୩୦ରୁ ଆବେଦନ ଆରମ୍ଭ ହେବାର ଥିଲା। କିନ୍ତୁ ପରେ ତାହାକୁ ବଢ଼ାଇ ସେପ୍ଟେମ୍ବର ୨ କରି ଦିଆଯାଇଛି। ଗେଟ୍ ପରୀକ୍ଷା ଦେବାକୁ ଇଚ୍ଛୁକ ପ୍ରାର୍ଥୀ ଏଥିପାଇଁ ଆସନ୍ତାକାଲିଠାରୁ ରେଜିଷ୍ଟ୍ରେସନ୍ କରିପାରିବେ।
୨୦୨୨ରେ ଗେଟ୍ ପରୀକ୍ଷା ଆୟୋଜନ କରିବା ଦାୟିତ୍ୱ ଆଇଆଇଟି ଖଡଗ୍ପୁରକୁ ଦିଆଯାଇଛି। ଗେଟ୍ ପରୀକ୍ଷା ୫, ୬, ୧୨ ଓ ୧୩ ଫେବ୍ରୁଆରୀ ୨୦୨୨ ରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ୨୪ ସେପ୍ଟେମ୍ବର ରହିଛି। ଏହା ପରେ ୨୬ ଅକ୍ଟୋବରରୁ ଗେଟ୍ ପରୀକ୍ଷା ପୋର୍ଟାଲ ପୁଣିଥରେ ଖୋଲିବ। ସେତେବେଳେ ପରୀକ୍ଷାର୍ଥୀମାନେ ଯଦି ଫର୍ମରେ କିଛି ଭୁଲ ଥିବ, ତେବେ ତାହାକୁ ଠିକ୍ କରିପାରିବେ।
ସୂଚନାଯୋଗ୍ୟ ଯେ ଗତ ବର୍ଷ ୭ ଲକ୍ଷ ୧୧ ହଜାର ୫୪୨ ଜଣ ଛାତ୍ର ଗେଟ୍ ୨୦୨୧ ପରୀକ୍ଷା ଦେଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୧.୨୮ ଲକ୍ଷ ଛାତ୍ର ହିଁ ପାସ୍ କରିଥିଲେ।