ଭୁବନେଶ୍ୱର(କେନ୍ୟୁଜ୍) : ଦୀର୍ଘଦିନ ଧରି ଏସିଏଫ୍ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଲାଗିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍ଓଙ୍କୁ ମିଳିଛି କ୍ଲିନ ଚିଟ୍ । ଏହା ଏକ ହତ୍ୟା ନୁହେଁ ଦୁର୍ଘଟଣାଜନିତ ବୋଲି ଏକ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।
ତେବେ ବିଦ୍ୟା ଭାରତୀଙ୍କ ଅବହେଳା ପାଇଁ ସୌମ୍ୟଙ୍କ ମୃତ୍ୟୁ ହୋଇଛି ବୋଲି କହିଛି କ୍ରାଇମବ୍ରାଞ୍ଚ୍ । ଏଥିପାଇଁ ବିଦ୍ୟାଭାରତୀଙ୍କ ନାମରେ ରୁଜୁ ହେବ ମାମଲା । ବିଦ୍ୟା ଭାରତୀଙ୍କ ସହ ଡିଏଫଓଙ୍କର ମଧ୍ୟ କୌଣସି ସମ୍ପର୍କ ନାହିଁ ବୋଲି କ୍ରାଇମବ୍ରାଞ୍ଚ ତା’ର ରିପୋର୍ଟ ଦେଇଛି । ଏହି ଘଟଣା ସୌମ୍ୟଙ୍କ ବାସ ଭବନରେ ଘଟିଥିଲା ।
ଏହି ମାମଲାର ତଦନ୍ତ କରି ତିନି ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ସୌମ୍ୟ ଙ୍କ ରୋଷେଇୟା ମନ୍ମଥ କୁମ୍ଭ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରା ଙ୍କୁ କ୍ଲିନ ଚିଟ ଦେଇଛନ୍ତି। ଏ ଦୁଇ ଜଣଙ୍କର କୌଣସି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। କିନ୍ତୁ ସୌମ୍ୟ ଙ୍କ ପତ୍ନୀ ବିଦ୍ୟାଭାରତି ପଣ୍ଡା ଙ୍କୁ ଅଭିଯୁକ୍ତ ଦର୍ଶାଇଛି କ୍ରାଇମବ୍ରାଞ୍ଚ। ବିଦ୍ୟାଭାରତି ପଣ୍ଡାଙ୍କ ବିରୋଧ ରେ ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୨୮୫ ଓ ୩୦୪(ଏ)ଧାରା ରେ ଅଭିଯୁକ୍ତ ଦର୍ଶାଇ ତାଙ୍କ ବିରୋଧରେ ଚାର୍ଜ ସିଟ ଦାଖଲ କରିବ ବୋଲି ସ୍ପଷ୍ଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।
ସୌମ୍ୟରଞ୍ଜନ ଓ ବିଦ୍ୟାଭାରତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ଭଲ ନଥିଲା ବୋଲି ତଦନ୍ତରୁ ଜଣାପଡିଛି। ଏହା ସହିତ ସୌମ୍ୟ ରଞ୍ଜନ ଙ୍କ ଦେହରେ ଦୁର୍ଘଟଣା ବଶତଃ ନିଆଁ ଲାଗି ଥିଲା। କିନ୍ତୁ ଏଥିପାଇଁ ଅନ୍ୟ କେହି ଦାୟୀ ନୁହଁନ୍ତି ବୋଲି ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନ ବନ୍ଦୀରେ ସେ କହିଛନ୍ତି। ସୌମ୍ୟ ଙ୍କ ଦେହରେ ନିଆଁ ଲାଗିଥିବା ଜାଣିବା ପରେ ମଧ୍ୟ ବିଦ୍ୟାଭାରତି ନିଆଁ ଲିଭାଇବାରେ ଅବହେଳା କରିଥିଲେ। ଏହା ସହିତ ନିଆଁ ଲିଭାଇବା ପାଇଁ ଅନ୍ୟ ମାନଙ୍କ ର ସହଯୋଗ ମଧ୍ୟ ନେଇ ନ ଥିଲେ।
ବିଦ୍ୟାଭାରତି ଙ୍କୁ ସିଆଇପିସି ର ଧାରା ୪୧ (ଏ) ଜରିଆରେ ନୋଟିସ କରିଛି କ୍ରାଇମବ୍ରାଞ୍ଚ। ଗତ ଜୁଲାଇ ମାସ ୧୨ ତାରିଖରେ ପାରଳାଖେମୁଣ୍ଡି ଠାରେ ଥିବା ନିଜ ସରକାରୀ ବାସଭବନରେ ନିଆଁ ରେ ପୋଡି ହୋଇ ଯାଇଥିଲେ ସୌମ୍ୟ।।ଏହାର ଗୋଟିଏ ଦିନ ପରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଧୀନ ଥିବା ଅବସ୍ଥାରେ ସୌମ୍ୟ ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସୌମ୍ୟ ଙ୍କ ବାପା ଅଭିରାମ ମହାପାତ୍ର ସୌମ୍ୟ ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ।
ଏହି ମାମଲା ବିଦ୍ୟାଭାରତି ଓ ଡିଏଫଓ ସଂଗ୍ରାମ କେଶରୀ ବେହେରା ଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜ୍ଜୁ କରିଥିଲେ। ପ୍ରଥମେ ପାରଳାଖେମୁଣ୍ଡି ପୋଲିସ ଏହି ମାମଲାର ତଦନ୍ତ କରୁଥିବା ବେଳେ ଅଗଷ୍ଟ ମାସ ୧୨ ତାରିଖରେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା।
ପ୍ରକାଶଯୋଗ୍ୟ ଯେ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିଲା । ବିଦ୍ୟା ଭାରତୀ ଏଥିପାଇଁ ପଲିଗ୍ରାଫ ଟେଷ୍ଟର ସମ୍ମୁଖୀନ ହୋଇଥିଲେ । ସୌମ୍ୟଙ୍କ ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ ସୌମ୍ୟଙ୍କ ପରିବାର । ପୂର୍ବରୁ ଗଜପତି ଡିଏଫଓ ଓ ରୋଷେୟାଙ୍କ ଲାଏ ଡିଟେକସନ୍ ଟେଷ୍ଟ ହୋଇଥିଲା ।
ପୂର୍ବରୁ ତିନିଟି ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡି, ସୌମ୍ୟଙ୍କ ପରିବାର ଏବଂ ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ସୌମ୍ୟଙ୍କ ପରିବାର ଲୋକ ବିଦ୍ୟାଭାରତୀଙ୍କ ସମେତ ଚିକିତ୍ସା କରିଥିବା ଡାକ୍ତର ଓ ତହସିଲଦାରଙ୍କ ଲାଏ ଡିଟେକସନ୍ ଟେଷ୍ଚ କରିବାକୁ ଦାବି କରିଥିଲେ । ତେବେ ଆଜି ସମସ୍ତ କଳ୍ପନାର ଅନ୍ତ ଘଟାଇ କ୍ରାଇମବ୍ରାଞ୍ଚ ଡିଏଫଓଙ୍କୁ କ୍ଲିନ ଚିଟ ଦେବା ସହ ମାମଲାର ଅନ୍ତ ଘଟାଇଛି । ଆଗକୁ ସୌମ୍ୟଙ୍କ ପରିବାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।