ଏବେ ଆର୍ଯ୍ୟନ୍ ଖାନ୍ଙ୍କୁ ଜଗିବ ବଡିଗାର୍ଡ। ଡ୍ରଗ୍ସ କେସ୍ରେ ଜେଲ ଯିବା ପରେ ଶାହାରୁଖ ଖାନ୍ ଓ ଗୌରୀ ପୁଅ ଆର୍ଯ୍ୟନ୍ର ସୁରକ୍ଷାକୁ ନେଇ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି। ଏଣୁ ପୁଅକୁ ସୁରକ୍ଷିତ ରଖିବା ପାଇଁ ତା’ ପାଇଁ ଏକ ବଡିଗାର୍ଡ ରଖିବାକୁ ଯୋଜନା କରୁଛନ୍ତି ଶାହାରୁଖ। ଏହି ବଡିଗାର୍ଡ ଆର୍ଯ୍ୟନ୍ର ଛାଇ ଭଳି ତା’ସହ ରହିବ। ଫଳରେ ସେ ଆର୍ଯ୍ୟନ୍ର ଯତ୍ନ ନେଇପାରିବ। ଏଥିସହ ଖବର ଆସୁଛି ଯେ ଶାହାରୁଖ ପୁଅ ଆର୍ଯ୍ୟନ୍ଙ୍କୁ ଦୀପାବଳି ପରେ ମନ୍ନତଠାରୁ ଦୂରେଇ ରଖିବା ନେଇ ମଧ୍ୟ ଚିନ୍ତା କରୁଛନ୍ତି। ଆର୍ଯ୍ୟନ୍ଙ୍କୁ ସୁରକ୍ଷିତ ରଖିବା ପାଇଁ ସେ ଏଭଳି ଚିନ୍ତା କରୁଥିବା ଜଣାଯାଇଛି।
ଶାହାରୁଖ ଖାନ୍ଙ୍କ ବଡିଗାର୍ଡ ରବି ଯେଭଳି ସବୁବେଳେ ତାଙ୍କ ସହ ରହୁଛନ୍ତି, ସେଭଳି ଆର୍ଯ୍ୟନ୍ଙ୍କ ସହ ମଧ୍ୟ ଏବେ ଜଣେ ବଡିଗାର୍ଡ ରହିବେ। ରିପୋର୍ଟ ମୁତାବକ, ଏହି ସମସ୍ତ ଘଟଣା ଶାହାରୁଖ ଖାନ୍ଙ୍କୁ ସମ୍ପୂର୍ଣ୍ଣ ଭାବେ ଦୋହଲାଇ ଦେଇଛି। ସେ ଭାବୁଛନ୍ତି ଯଦି ଆର୍ଯ୍ୟନ୍ ପାଖରେ ନିଜର ବଡିଗାର୍ଡ ରହିଥାନ୍ତା ତେବେ କଥା ଏତେ ଆଗକୁ ବଢ଼ିନଥାନ୍ତା। ସେ ରବିଙ୍କ ଭଳି ତାଙ୍କ ଧ୍ୟାନ ରଖିଥାନ୍ତା। ଏଣୁ ଖୁବ୍ଶୀଘ୍ର ଆର୍ଯ୍ୟନ୍ଙ୍କ ପାଇଁ ବଡିଗାର୍ଡ ରଖିବାକୁ ମନସ୍ଥ କରିଛନ୍ତି ଶାହାରୁଖ।
ଏହା ବ୍ୟତୀତ ଶୁଣିବାକୁ ମିଳୁଛି ଯେ ଦୀପାବଳି ପରେ ଶାହାରୁଖ ଖାନ୍ ପୁଅ ଆର୍ଯ୍ୟନ୍ଙ୍କୁ ମନ୍ନତଠାରୁ ଦୂରେଇ ରଖିବାକୁ ଚିନ୍ତା କରୁଛନ୍ତି। ଡ୍ରଗ୍ସ କେସ୍ରେ ଜାମିନ୍ ପାଇବା ପରେ ଆର୍ଯ୍ୟନ୍ ନିଜ ପାସ୍ପୋର୍ଟକୁ ସ୍ପେଶାଲ କୋର୍ଟରେ ଜମା କରିଥିଲେ। ସର୍ତ୍ତ ମୁତାବକ, ଆର୍ଯ୍ୟନ୍ ବିନା ଅନୁମତିରେ ମୁମ୍ବାଇ କିମ୍ବା ଭାରତ ବାହାରକୁ ଯାଇପାରିବେ ନାହିଁ। ଏଣୁ କୁହାଯାଉଛି ଯେ ଶାହାରୁଖ ଖାନ୍, ଆର୍ଯ୍ୟନ୍ଙ୍କୁ ନିଜ ଅଲିବାଗ୍ସ୍ଥିତ ଫାର୍ମ ହାଉସ୍କୁ ସିଫ୍ଟ କରିବେ।
ଆର୍ଯ୍ୟନ୍ ଖାନ୍ଙ୍କ ପାଇଁ ଅକ୍ଟୋବର ମାସ ଖୁବ୍ କଷ୍ଟଦାୟକ ଥିଲା। ଶାହାରୁଖ ଓ ଗୌରୀ ଚାହୁଁଛନ୍ତି ଯେ ସେ ମିଡିଆ ନଜରରୁ ଦୂରରେ ରହି ନିଜ ଉପରେ ଧ୍ୟାନ ଦିଅନ୍ତୁ। ଏଣୁ ସେମାନେ ଆର୍ଯ୍ୟନ୍ଙ୍କୁ ଦୀପାବଳି ପରେ ଅଲିବାଗ୍ ପଠାଇବାକୁ ଚିନ୍ତା କରୁଛନ୍ତି। ଅଲିବାଗରେ ଶାହାରୁଖଙ୍କର ଏକ ଆଲିଶାନ୍ ଫାର୍ମ ହାଉସ୍ ଅଛି। ସେଠାରେ ଆର୍ଯ୍ୟନ୍ ଖାନ୍ ମାନସିକ ଭାବେ ଶାନ୍ତିରେ ରହିବେ ବୋଲି ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଆର୍ଯ୍ୟନ୍ ଖାନ୍ ଜେଲ ଯିବା ପରେ ଶାହାରୁଖ ଖାନ୍ଙ୍କ କାମ ଅଟକି ଯାଇଥିଲା। ସେ ଫିଲ୍ମ ପଠାନ୍ ଓ ଡାଇରେକ୍ଟର ଆଟ୍ଲିର ଫିଲ୍ମକୁ ମଝିରୁ ଛାଡ଼ି ଚାଲିଆସିଥିଲେ। ଏବେ ଆର୍ଯ୍ୟନ୍ଙ୍କୁ ବେଲ୍ ମିଳିବା ପରେ ଶାହରୁଖ ପୁଣି ଡିସେମ୍ବରରୁ କାମ ଆରମ୍ଭ କରିବେ ବୋଲି ଜଣାଯାଇଛି। ଏବେ ଶାହାରୁଖ ପରିବାର ସହ ଦୀପାବଳି ପାଳିବେ। ତା’ ପରେ ପୂରା ପରିବାର କିଛି ଦିନ ପାଇଁ ଅଲିବାଗ ସ୍ଥିତ ଫାର୍ମ ହାଉସ୍ରେ ଆର୍ଯ୍ୟନ୍ଙ୍କ ସହ ରହିବେ। ଶାହାରୁଖ କାମ ଆରମ୍ଭ କରିବା ପରେ ଗୌରୀ ଓ ସାନ ପୁଅ ଅବରାମ ଆର୍ଯ୍ୟନ୍ଙ୍କ ସହ ଅଲିବାଗରେ ହିଁ ରହିବେ।