ଗଜପତି ଓ କୋରାପୁଟ ଜିଲ୍ଲାର ସଉରା ଜନଜାତି ଓ ସେମାନଙ୍କ ଭାଷା ସୁରକ୍ଷା ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି? କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ
କେନ୍ୟୁଜ୍(ବ୍ୟୁରୋ): ସଉରା ଜନଜାତି ଓ ସେମାନଙ୍କ ଭାଷା ସୁରକ୍ଷା ପାଇଁ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ। ଓଡ଼ିଶାର ଗଜପତି ଓ କୋରାପୁଟ ଜିଲ୍ଲାର ସଉରା ଜନଜାତି ଓ ସେମାନଙ୍କ ଭାଷା ସୁରକ୍ଷା ଦିଗରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ପ୍ରଶ୍ନ କରିଥିଲେ କନ୍ଧମାଳ ସାଂସଦ ଡ. ସାମନ୍ତ।
ଏହାସହ ସଉରା ଜନଜାତି ପିଲାମାନେ ଅନ୍ୟ ଭାଷା ଜାଣି ନଥିବାରୁ ଅଧାରୁ ପାଠ ଛାଡ଼ୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି କି ବୋଲି ପ୍ରଶ୍ନ କରିଥିଲେ। କନ୍ଧମାଳ ସାଂସଦଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ର ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା କହିଛନ୍ତି, ସଉରା ଜନଜାତି ଓ ସେମାନଙ୍କ ଭାଷାର ସୁରକ୍ଷା ଲାଗି ଓଡ଼ିଶା ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଶିକ୍ଷାଦାନ ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁମୁଖୀ ଭାଷା ନୀତିକୁ ଉତ୍ସାହିତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶା ସରକାର ସଉରା ଜନଜାତି ଛାତ୍ରଛାତ୍ରୀଙ୍କ ଅଧାରୁ ପାଠ ଛାଡ଼ିବା ରୋକିବା ଲାଗି ସଂହତି ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ରେଣୁକା ସିଂହ ସାରୁତା କହିଛନ୍ତି।
କନ୍ଧମାଳ ସାଂସଦ ଡ. ସାମନ୍ତଙ୍କ ସଉରା ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସ୍ଥାନ ଦେବା ନେଇ ପ୍ରଶ୍ନ କରିଥିଲେ। ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସାରୁତା କହିଥିଲେ, କୌଣସି ଭାଷାକୁ ୮ମ ଅନୁଚ୍ଛେଦରେ ସ୍ଥାନ ଦେବା ହେଉଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟର କାର୍ଯ୍ୟ। ବର୍ତ୍ତମାନ ୨୨ଟି ଭାଷା ସମ୍ବିଧାନର ୮ମ ଅନୁଚ୍ଛେଦରେ ସ୍ଥାନ ପାଇଥିବା ବେଳେ ଆହୁରି ଅନେକ ଭାଷାକୁ ଏଥିରେ ସ୍ଥାନ ଦେବା ପାଇଁ ଦାବି ହୋଇ ଆସୁଛି। କୌଣସି ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ କୌଣସି ମାନଦଣ୍ଡ ର୍ନିଦ୍ଧାରଣ କରିବା ସମ୍ଭବ କଷ୍ଟକର। ଲୋକଙ୍କ ଭାବାବେଗ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାାନ୍ୟ ଭାଷାକୁ ୮ମ ଅନୁଚ୍ଛେଦରେ ସ୍ଥାନ ଦେବାପାଇଁ ସରକାର ସଚେତନ ଅଛନ୍ତି ବୋଲି ସେ କହିଥିଲେ। ଭାବାବେଗକୁ ଦୃଷ୍ଟିରେ ରଖି ଏ ପ୍ରକାର ଅନୁରୋଧକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।