ସ୍ୱେରେଜ ସଫେଇ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ: ୧୯୯୩ରୁ କେତେ ଶ୍ରମିକଙ୍କ ମୃତ୍ୟୁ ଘଟିଛି? ସରକାରଙ୍କୁ ତଥ୍ୟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ୧୯୯୩ରୁ ସ୍ୱେରେଜ ଲାଇନ ସଫେଇ ବେଳେ ଆଜି ପର୍ଯ୍ୟନ୍ତ କେତେ ଶ୍ରମିକଙ୍କ ମୃତ୍ୟୁ ଘଟିଛି? ଏ ସମ୍ପର୍କରେ ତଥ୍ୟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏଭଳି ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତି ପୂରଣ ମିଳିଛି କି ନାହିଁ? ସେମାନଙ୍କ ଚିହ୍ନଟ ଓ ଥଇଥାନ ହୋଇଛି କି ନାହିଁ? ରାଜ୍ୟ ସରକାର ଏହା ଜଣାଇବେ। ଏ ସବୁ ଦୁର୍ଘଟଣାର ଦୋଷୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ଏବଂ ଆଇନ କାର୍ଯ୍ୟକାରୀ ହୋଇଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ତଥ୍ୟ ଦେବେ ସରକାର।
ସ୍ୱେରେଜ ଲାଇନ ସଫେଇ ବେଳେ ରାଜ୍ୟରେ ଘଟିଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣା ପ୍ରସଙ୍ଗରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୦ ତାରିଖରେ ହେବ। ଆମିକସ୍ କ୍ୟୁରୀ ବିଭୁ ପ୍ରସାଦ ତ୍ରିପାଠୀ ଓ ପି.ରଥ ମାମଲା ପରିଚାଳନା କରୁଛନ୍ତି।